ମାୟାବର୍ହା ହାଇସ୍କୁଲରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତ ହାଇ ସ୍କୁଲ୍ ଠାରେ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଦିବସୀୟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଡୁଙ୍ଗୁରିପାଲି ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରାୟୋଜିତ ମେଡିକାଲ ଅଫିସର ଡ. ଆଶିଷ ଗୋୟଲ, ଡ. ସୁଶ୍ରୀ ପତି ଓ ଫାର୍ମାସିଷ୍ଟ ଅନୁପମା ସାହୁ, କୃଷ୍ଣ ସେଠ ପ୍ରମୁଖ ସ୍କୁଲର ଉଭୟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ପିଲାମାନେ କିଭଳି ନିଜର ଆଖି, କାନ, ଚର୍ମ ଓ ନିଜକୁ ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ ପ୍ରଭୁତି ରୋଗରୁ ସୁରକ୍ଷିତ ରହିବେ ସେ ବିଷୟରେ ସଚେତନ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ । ‘ମା’ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମକୁ ପ୍ରସାରିତ କରିବା ଉଦ୍ଦେଶ୍ୟରେ ଡ. ଗୋୟଲ ମୁଖ୍ୟଅତିଥି ଭାବରେ ସ୍କୁଲ ପରିସରରେ ଚାରାରୋପଣ କରିଥିଲେ ଓ ବୃକ୍ଷର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅତିଥି ଶିକ୍ଷକ ମନୋଜ କୁମାର ପୂଜାରୀ, ନରେନ୍ଦ୍ର କୁମାର ସାହୁ, ନନ୍ଦିଘୋଷ ବାରିକ, ସ୍ନିଗ୍ଧା ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଲୁମିନି ସଦସ୍ୟ କିରଣ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.