ଉଡାନର ସ୍ୱାଗତ ସମାରୋହ – ୨୦୨୪ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ ତରଫରୁ ନବମ ଛାତ୍ରୀଙ୍କ ‘ଉଡାନ ସ୍ୱାଗତ ସମାରୋହ – ୨୦୨୪’ ଅଗଷ୍ଟ ୦୧ ତାରିଖ ଦିନ ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ଛାତ୍ରୀଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା କେତେ ବୁଝାଇଥିଲେ । ସମାଜରେ ଉଡାନ୍‌ ଏକ ସେତୁର କାର୍ଯ୍ୟକରୁଛି ବୋଲି କହିଥିଲେ । ଉଡାନରୁ ଗ୍ରହଣ କରିଥିବା ଶିକ୍ଷାକୁ ପୁଣି ସମାଜକୁ ଦେବାପାଇଁ ପ୍ରସ୍ତୁତ ହେବାକୁ ଉଡାନ ଛାତ୍ରୀମାନଙ୍କୁ କହିଥିଲେ । ଅନ୍ୟତମ ଅତିଥି ତଥା ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ ଛାତ୍ରୀମାନଙ୍କୁ ଉଡାନରେ ଯେଉଁ ସୁବିଧା ଓ ସୁଯୋଗ ଲାଭ କରୁଛି ତାହା ଆୟୋଜକଙ୍କ ପ୍ରଚେଷ୍ଟା । କିନ୍ତୁ ତୁମର ଗୁରୁଦାୟିତ୍ୱ ହେଲା ପରିଶ୍ରମ କରି ନିଜକୁ ସଫଳ କରିବା । ଉଡାନରେ ନିଜକୁ ନିୟୋଜିତକରି ଶିକ୍ଷକ ଓ ଆୟୋଜକମାନେ ଉଡାନ ଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ସହିତ ନିଜର ମଧ୍ୟ ମଙ୍ଗଳ କରୁଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅତିଥି ଭାବରେ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ନାୟକ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାର୍ଗ ବୋଲି କହିଥିଲେ । ରୋଟାରି ଏଲିଟର ସଭାପତି ଅର୍ଚ୍ଚନା ଶତପଥୀ ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ କହିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉଡାନ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ୪୧ ଜଣ ନବମ ଶ୍ରେଣୀର ଉଡାନ ଛାତ୍ରୀଙ୍କୁ ନୂତନ ବ୍ୟାଗ ପ୍ରଦାନକରି ଉଡାନକୁ ସ୍ୱାଗତ କରିଥିଲେ । ଏହି ବର୍ଷ ଉଡାନରେ ସରକାରୀ ବାଳିକା ବିଦ୍ୟାଳୟ, ଟାଉନ ବାଳିକା ବିଦ୍ୟାଳୟ, ଓ ନବଜୀବନ ବିଦ୍ୟାପୀଠର ଛାତ୍ରୀଙ୍କୁ ସାମିଲ କରାହୋଇଛି । ଏହି ସଭାରେ ଉଡାନ ଛାତ୍ରୀଙ୍କ ଅଭିଭାବକମାନେ ଯୋଗଦେଇଥିଲେ । ଉଡାନ ଦଶମ ଶ୍ରେଣୀ ଛାତ୍ରୀମାନେ ଉପସ୍ଥିତରହି ନୂତନ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ରୋଟାରି ଏଲିଟର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.