ଛତ୍ରପୁର ସଂସ୍କୃତି ଭବନ ପରିସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୨ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୨ ଅବସରରେ ଗତକାଲି ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇ ଶହସ୍ରାଧିକ ବୃଦ୍ଧ, ବୃଦ୍ଧାମାନଙ୍କୁ ଚକ୍ଷୁ, କର୍ଣ୍ଣ ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଉପଯୁକ୍ତ ପରାମର୍ଶ ଦିଆଯାଇଛି । ପ୍ରାରମ୍ଭରେ ଓଡିଶୀ ଗବେଷଣା କେନ୍ଦ୍ର ବ୍ରହ୍ମପୁରର ଶିଳ୍ପୀ ସ୍ୱପ୍ନା ସାହୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୋଗ ହିଁ ସୁନ୍ଦର ସ୍ୱାସ୍ଥ୍ୟର ଚାବି କାଠି, ଯୋଗ ଅଭ୍ୟାସ ଦ୍ୱାରା ଶରୀର ସୁସ୍ଥ ଓ ଆରୋଗ୍ୟ ରହିବ ବୋଲି ଶ୍ରୀମତୀ ଦାସ ବୋଲି ମତବ୍ୟକ୍ତ କରିଥିଲେ । ଛୋଟ ଛୁଆର ଯତ୍ନ ନେଲାଭଳି ବୟସ୍କ ବୃଦ୍ଧ, ବୃଦ୍ଧାମାନଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ । ବୟସ୍କମାନଙ୍କର ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ, ତେଣୁ ବୃଦ୍ଧ ବୃଦ୍ଧାମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ପରାମର୍ଶ ଦେଇଥିଲେ । ପରିବାରର ବୟସ୍କମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ଯତ୍ନ ନେବା ସହ ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିବା ଉଚିତ୍ ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ବୟସ୍କମାନେ ସମାଜକୁ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି ସେଥିଯୋଗୁଁ ଆଜି ସମାଜ ବଞ୍ଚି ରହିଛି । ସରକାର ଓ ଜିଲ୍ଲା ପ୍ରଶାସନ ବରିଷ୍ଠ ନାଗରିକମାନଙ୍କ ସହ ସଦାସର୍ବଦା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ କହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ସରକାର ଯୋଗାଇ ଦେଇଛନ୍ତି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରକାଶ କରିବା ସହ ନିଜ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କହିଥିଲେ । ସମଗ୍ର ବିଶ୍ୱରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେମାନଙ୍କ ପାଇଁ ଭତ୍ତାର ବ୍ୟବସ୍ଥା ସରକାର କରିଛନ୍ତି ଏବଂ ସେମାନେ ସ୍ୱାସ୍ଥ୍ୟ ସଚେତନ ହେବାକୁ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ନିବେଦନ କରିଥିଲେ । ମଣିଷର ଚାରୋଟି ଅବସ୍ଥା ମଧ୍ୟରୁ ଶେଷ ଅବସ୍ଥା ହେଉଛି ବୃଦ୍ଧାବସ୍ଥା । ସେ ସମୟରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ସେମାନେ ଆଶା କରନ୍ତି । ବରିଷ୍ଠ ନାଗରିକମାନେ ଅନୁଭୂତି ଓ ଅଭିଜ୍ଞତାର ଭରପୁର ଭଣ୍ଡାର । ଏଣୁ ସେମାନଙ୍କର ଯତ୍ନ ନେବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପରାମର୍ଶ ଦେଇଥିଲେ ।

ପରେ ପରେ ଛତ୍ରପୁରର ଶତାୟୁ ବରିଷ୍ଠ ନାଗରିକ ରଇବାରୀ ପ୍ରଧାନ, ଆସ୍କାର ରାମ ପ୍ରଧାନ, ବ୍ରହ୍ମପୁରର କାନ୍ତା ସାହୁ, ସୋରଡାର ଗଣେଶ ଓ ଭଞ୍ଜନଗରର ସୁବାସ ଚନ୍ଦ୍ର ବେହେରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଦନ୍ତ ଚିକିତ୍ସକ ଡା. ଅଜିତ କୁମାର ନାୟକ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅସ୍ଥିଶଲ୍ୟ ବିଭାଗ ଡା. ସୂର୍ଯ୍ୟ ପ୍ରକାଶ, ସିଟି ହସ୍ପିଟାଲ, ଚକ୍ଷୁ ବିଶେଷଜ୍ଞ ଡା. ଏସ୍. ସୀତାରାମ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, କର୍ଣ୍ଣ ନାସା ଓ ଗଳା ବିଭାଗର ଡା.ଅରୁନ୍ଧତୀ ପାଣିଗ୍ରାହୀ, ସିଟି ହସ୍ପିଟାଲ, ଭେଷଜ ବିଶେଷଜ୍ଞ ଡା. ରାକେଶ ଜେନା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ମେଡିକାଲ ଅଫିସର ଡା. ସ୍ୱପ୍ନଜା ରାଣୀ ପ୍ରଧାନ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକମାନେ ବରିଷ୍ଠ ନାଗରିକଙ୍କୁ ପରୀକ୍ଷା କରି ନିରାମୟ ଔଷଧ ଓ ଉପକରଣ ଦେଇଥିଲେ । ଶେଷରେ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!