ଗୋପାଳପୁର ବନ୍ଦର ପକ୍ଷରୁ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଛତ୍ରପୁର ବ୍ଲକ କାଳୀପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଶନିବାର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.ଜେ. ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିଶ୍ଚିତ ଯୋଗାଇଦେବା ନିମନ୍ତେ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର ଅଟେ ଏବଂ ଜନଗୋଷ୍ଠୀଙ୍କୁ ସେବା ପ୍ରଦାନ କରିବାର ସୁଯୋଗ ପାଇ ଆମେ ଗର୍ବିତ ଓ ଖୁସି ଅଛୁ ବୋଲି ଶିବିରର ଆନୁଷ୍ଠାନିକ ଉଦ୍‌ଘାଟନୀ ଅବସରରେ ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.ଜେ. ରାଓ କହିଥିଲେ । ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ବନ୍ଦରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଶିକ୍ଷା ତଥା ପରିବେଶର ସୁରକ୍ଷା ଦିଗରେ ଅଧିକରୁ ଅଧିକ ଯତ୍ନବାନ ହେବ ବୋଲି ଗୋପାଳପୁର ବନ୍ଦରର ଉପସଭାପତି ତଥା ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ ଅଧିକାରୀ ଅଜୟ କୁମାର ମିଶ୍ର ମତପୋଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କାଳୀପଲ୍ଲୀ ପଞ୍ଚାୟତ ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର, ସମିତି ସଭ୍ୟ ବିକାଶ ବେହେରା, ଶ୍ରମିକ ନେତା ତଥା ସମାଜସେବୀ ଶଙ୍କର ଦାଶ, କାଳୀପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାପତି ୱାର୍ଦ୍ଧରାଜୁଲୁ ବାବୁ, ଚମାଖଣ୍ଡି ପଞ୍ଚାୟତ ସରପଞ୍ଚ ସି.ଏଚ. ମନୋଜ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ, ଏସ. ସଞ୍ଜୀବ ରେଡ୍ଡୀ, କାଳୀପଲ୍ଲୀ ଗ୍ରାମ୍ୟ କମିଟି ସଦସ୍ୟ, ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି ଚିତ୍ତରଞ୍ଜନ ବାହିନୀପତି, ବରିଷ୍ଠ ଡାକ୍ତରୀ ଦଳ, ବନ୍ଦରର ବହୁ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଏହି ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ବିଶେଷଜ୍ଞ ଦ୍ୱାରା ଚିକିତ୍ସା ପରାମର୍ଶ ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରାୟତଃ ୩୦୦ରୁ ଅଧିକ ଜନସାଧାରଣ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କଠାରୁ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତ୍ତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଗୋପାଳପୁର ପୋର୍ଟର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭୂୟସୀ ପ୍ରଶଂସା କରିଥଲେ । ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ସହ ବ୍ୟାପକ କରିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଥିଲେ ।

ଏହି ଅବସରରେ ଗୋପାଳପୁର ବନ୍ଦରର କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକରେ କିପରି ଅନ୍ଧବିଶ୍ୱାସ ଠୁ ଦୂରେଇ ରହି କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଆସିଲେ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଯାଇ ପରାମର୍ଶ କରିବା ସହ ନିଜ ପରିବେଶକୁ କିପରି ସ୍ୱଚ୍ଛ ରଖିବେ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ନିକଟରେ କାଳୀପଲ୍ଲୀ ପଞ୍ଚାୟତ ଅଧୀନସ୍ଥ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ କରାଯାଇଥିଲା । ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମରେ ଏକ ନବନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ କରାଯାଇଥିଲା ।

Leave A Reply

Your email address will not be published.