ବଲାଙ୍ଗିର, (କେପିଏନ୍ଏସ୍) : ଉଚ୍ଚ ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶାନୁସାରେ ଆଜି ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରରେ ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ଆତ୍ମରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ +୩ ପ୍ରଥମ ବର୍ଷର ଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଂଯୋଜିକା ଓ ଆଇଆଇସି ଅଧ୍ୟକ୍ଷା ମିସ୍ ବନ୍ଦନା ବାର୍ ଅଧ୍ୟକ୍ଷତା କରିଥିଲେ । ସହଯୋଗୀ ଭାବେ ଇଂରାଜୀ ଅଧ୍ୟାପିକା ରମଣୀ ନାଏକ, ହିନ୍ଦୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ବିଜୟ ବେହେରା, ମିସେସ୍ ଲିଲିମା ଗର୍ଦିଆ, ସୁଶ୍ରୀ ଅଞ୍ଜଳି ସିଂହ, କଲ୍ୟାଣୀ ମିଶ୍ର ଓ ସୋନମ ସାହୁ ଉପସ୍ଥିତ ଥିଲେ । ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ ବ୍ୟାବହାରିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ ପ୍ରଶିକ୍ଷକ ଲିପ୍ସାରାଣୀ ଡାଙ୍ଗ ଓ ଶୁଭସ୍ମିତା ମଲ୍ଲିକ । ଶାରୀରିକ ସୁରକ୍ଷା, ସଚେତନତା, ଦୈନନ୍ଦିନ ପରିସ୍ଥିତିରେ ସୁରକ୍ଷାମୂଳକ ପ୍ରତିକ୍ରିୟା ଇତ୍ୟାଦି ବିଷୟରେ ଛାତ୍ରୀମାନଙ୍କୁ ବିସ୍ତୃତ ଅବହିତ କରାଗଲା । ମହାବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପକୁ ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ ଓ ଆତ୍ମବଳ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଭାବେ ସ୍ୱାଗତ କରାଯାଇଛି ।