oom

ନୂଆଦିଲ୍ଲୀରେ ଆୟୋଜିତ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

jsmm
  • ‘ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
  • ବୀର ବାଲ୍ ଦିବସରେ ଆମେ ସାହିବଜାଦାମାନଙ୍କ ବୀରତା ଏବଂ ବଳିଦାନକୁ ସ୍ମରଣ କରୁଛୁ, ଆମେ ମାତା ଗୁଜରୀ ଜୀ ଏବଂ ଶ୍ରୀ ଗୁରୁ ଗୋବିନ୍ଦ ସିଂଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ : ପ୍ରଧାନମନ୍ତ୍ରୀ
  • ସାହିବଜାଦା ଜୋରାୱାର ସିଂ ଓ ସାହିବଜାଦା ଫତେହ ସିଂଙ୍କ ପିଲାଦିନରେ ଅଦମ୍ୟ ସାହସ ଥିଲା : ପ୍ରଧାନମନ୍ତ୍ରୀ
  • ସମୟ ଯେତେ କଠିନ ହେଉ ନା କାହିଁକି, ଦେଶ ଓ ଦେଶର ସ୍ୱାର୍ଥଠାରୁ ବଡ଼ କିଛି ନୁହେଁ : ପ୍ରଧାନମନ୍ତ୍ରୀ
  • ଆମ ଗଣତନ୍ତ୍ରର ବିଶାଳତା ଗୁରୁମାନଙ୍କ ଶିକ୍ଷା, ସାହିବଜାଦାଙ୍କ ବଳିଦାନ ଏବଂ ଦେଶର ଏକତାର ମୌଳିକ ମନ୍ତ୍ର ଉପରେ ଆଧାରିତ : ପ୍ରଧାନମନ୍ତ୍ରୀ
  • ଇତିହାସଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ପ୍ରଗତିରେ ଯୁବଶକ୍ତିର ବଡ଼ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
  • ଏବେ କେବଳ ଶ୍ରେଷ୍ଠ ହିଁ ଆମର ମାନକ ହେବା ଦରକାର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବୀର ବାଲ୍ ଦିବସରେ ଅଂଶଗ୍ରହଣ କରିଥିଲେ । ୩ୟ ବୀର ବାଲ୍ ଦିବସ ପାଳନ ଉପଲକ୍ଷେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ସାହିବଜାଦେମାନଙ୍କ ଅତୁଳନୀୟ ସାହସିକତା ଓ ବଳୀଦାନକୁ ସ୍ମରଣ କରିବାକୁ ସରକାର ବୀର ବାଲ ଦିବସ ଆରମ୍ଭ କରିଥିଲେ । ଏହି ଦିବସ ଏବେ କୋଟି କୋଟି ଭାରତୀୟଙ୍କ ପାଇଁ ଜାତୀୟ ପ୍ରେରଣାର ପର୍ବ ପାଲଟିଯାଇଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଦିବସ ଅନେକ ପିଲା ଏବଂ ଯୁବକଯୁବତୀଙ୍କୁ ଅଦମ୍ୟ ସାହସ ଓ ପ୍ରେରଣା ଦେବା ପାଇଁ କାର୍ଯ୍ୟ କରିଛି । ଶ୍ରୀ ମୋଦୀ ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ କଳା ଆଦି କ୍ଷେତ୍ରରେ ବୀର ବାଲ ପୁରସ୍କାର ହାସଲ କରିଥିବା ୧୭ ଜଣ ପିଲାମାନଙ୍କ ପ୍ରସଂଶା କରିଥିଲେ । ଆଦିର ପୁରସ୍କାର ବିଜେତାମାନେ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ଲାଗି ଭାରତର ପିଲା ଓ ଯୁବପିଢିମାନଙ୍କ କ୍ଷମତାର ପ୍ରତୀକ ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁ ଓ ସାହସୀ ସାହିବଜାଦେଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ପୁରସ୍କୃତ ପିଲା ଓ ତାଙ୍କ ପରିବାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସାହିବଜାଦେମାନଙ୍କ ବଳୀଦାନକୁ ମନେପକାଇ ଶ୍ରୀ ମୋଦୀ କହିଥିଲେ ଯେ ଆଜିର ଯୁବପିଢି ସେମାନଙ୍କ ବୀରତ୍ୱ ବିଷୟରେ ଜାଣିବା ଉଚିତ ଏବଂ ତା ସହିତ ସେସବୁ ଘଟଣାବଳୀକୁ ବି ମନେପକାଯିବା ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ତିନି ଶହ ବର୍ଷ ପୂର୍ବେ ବୀର ସାହିବଜାଦାମାନେ ନିଜର ବାଳୁତ ବୟସରେ ପ୍ରାଣବଳୀ ଦେଇଥିଲେ । ବାଳୁତ ବୟସରେ ଥିଲେ ବି ସାହିବ ଜୋରାୱର ସିଂ ଓ ସାହିବ ଫତେ ସିଂଙ୍କ ସାହସର କୌଣସି ସୀମା ନ ଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ସାହିବଜାଦାମାନେ ମୋଗଲ ସାମ୍ରାଜ୍ୟର ସମସ୍ତ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିଥିଲେ, ସମସ୍ତ ଅତ୍ୟାଚାର ସହିଥିଲେ ଏବଂ ୱାଜିର ଖାଁ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଅତ୍ୟନ୍ତ ବୀରତ୍ୱର ସହ ଗ୍ରହଣ କରିବାକୁ ପସନ୍ଦ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ସାହିବଜାଦାମାନେ ତାଙ୍କୁ ଗୁରୁ ଅର୍ଜନ ଦେବ, ଗୁରୁ ତେଗ ବାହାଦୁର ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ବୀରତ୍ୱକୁ ମନେ ପକାଇଦିଅନ୍ତି ଏବଂ ଏହି ସାହସିକତା ହେଉଛି ଆମ ବିଶ୍ୱାସର ଆଧ୍ୟାତ୍ମିକ ଶକ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାହିବଜାଦାମାନେ ସେମାନଙ୍କ ଜୀବନ ବଳିଦାନ କରିବାକୁ ପସନ୍ଦ କରିଥିଲେ କିନ୍ତୁ ନିଜ ବିଶ୍ୱାସର ମାର୍ଗରୁ କେବେ ବି ବିଚ୍ୟୁତ ହୋଇନଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବୀର ବାଲ ଦିବସ ଆମକୁ ଶିକ୍ଷା ଦେଇଥାଏ ଯେ ପରିସ୍ଥିତି ଯେତେ କଠିନ ହେଉ ନା କାହିଁକି, ଦେଶ ଏବଂ ଜାତୀୟ ସ୍ୱାର୍ଥ ଠାରୁ ବଡ଼ କିଛି ନୁହେଁ । ସେ କହିଥିଲେ ଯେ ଦେଶ ପାଇଁ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସାହସିକତାର କାର୍ଯ୍ୟ ଏବଂ ଦେଶ ପାଇଁ ବଞ୍ଚୁଥିବା ପ୍ରତ୍ୟେକ ପିଲା ଓ ଯୁବକ ଜଣେ ଜଣେ ବୀର ବାଳକ । ପ୍ରଧାନମନ୍ତ୍ରୀ କହିଥିଲେ, ଚଳିତ ବର୍ଷର ବୀର ବାଲ ଦିବସ ସ୍ୱତନ୍ତ୍ର, କାରଣ ଏହି ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ ପ୍ରଣୟନର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି । ଭାରତୀୟ ସମ୍ବିଧାନର ଏହି ୭୫ତମ ବର୍ଷରେ ଦେଶର ପ୍ରତ୍ୟେକ ନାଗରିକ ବୀର ସାହିବଜାଦାଙ୍କ ଠାରୁ ପ୍ରେରଣା ନେଇ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରୁଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତର ସୁଦୃଢ଼ ଗଣତନ୍ତ୍ର ଗର୍ବିତ ଯେ ଏହି ଦିନକୁ ସାହିବଜାଦାଙ୍କ ସାହସିକତା ଏବଂ ବଳିଦାନର ଦିନ ଭାବରେ ପାଳନ କରାଯାଏ । ସମାଜର ଶେଷରେ ଥିବା ବ୍ୟକ୍ତିଙ୍କ ଉନ୍ନତି ପାଇଁ ଆମ ଗଣତନ୍ତ୍ର ଆମକୁ ପ୍ରେରଣା ଦେଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ସମ୍ବିଧାନ ଆମକୁ ଶିକ୍ଷା ଦେଇଛି ଯେ ଦେଶରେ କେହି ଛୋଟ କିମ୍ବା ବଡ଼ ନୁହଁନ୍ତି ।“ ସେ କହିଥିଲେ ଯେ ଏହି ନୀତି ଆମ ଗୁରୁମାନଙ୍କ ଶିକ୍ଷା ସହିତ ସମାନ, ଯେଉଁମାନେ ସମସ୍ତଙ୍କ କଲ୍ୟାଣ ପାଇଁ ଶିକ୍ଷା ଦେଇଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସାହିବଜାଦାମାନଙ୍କ ଜୀବନ ଯେପରି ଆମକୁ ଦେଶର ଅଖଣ୍ଡତା ଏବଂ ଆଦର୍ଶ ସହିତ ବୁଝାମଣା ନ କରିବାକୁ ଶିଖାଏ ଏବଂ ସେହିଭଳି ସମ୍ବିଧାନ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାର ନୀତିକୁ ବଜାୟ ରଖିଛି । ସେ କହିଥିଲେ ଯେ ଆମ ଗଣତନ୍ତ୍ରର ବିଶାଳତା ଗୁରୁମାନଙ୍କ ଶିକ୍ଷା, ସାହିବଜାଦାମାନଙ୍କ ବଳିଦାନ ଏବଂ ଜାତୀୟ ଏକତାର ପ୍ରତୀକ । ଶ୍ରୀ ମୋଦୀ କହିଛନ୍ତି, ଅତୀତରୁ ଆଜି ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରତ୍ୟେକ ବିପ୍ଳବରେ ଭାରତୀୟ ଯୁବକଙ୍କ ଅବଦାନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଯୁବବର୍ଗଙ୍କ ଶକ୍ତି ଯୋଗୁଁ ହିଁ ବିଶ୍ୱ ଭାରତକୁ ଆଶା ଓ ଆକାଂକ୍ଷାର ସହ ଦେଖୁଛି । ଆଜି ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି ବିଜ୍ଞାନ, କ୍ରୀଡ଼ାଠାରୁ ଆରମ୍ଭ କରି ଉଦ୍ୟୋଗ, ଯୁବଶକ୍ତି ନୂଆ ନୂଆ ବିପ୍ଳବକୁ ଜନ୍ମ ଦେଉଥିବାରୁ ଯୁବବର୍ଗଙ୍କୁ ସଶକ୍ତ କରିବା ଉପରେ ସରକାରଙ୍କ ନୀତିରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ ସବୁ ନୀତି, ସେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ହେଉ କିମ୍ବା ମହାକାଶ ଅର୍ଥନୀତିର ଭବିଷ୍ୟତ, କ୍ରୀଡ଼ା ଓ ଫିଟନେସ୍ କ୍ଷେତ୍ର, ଫିନଟେକ୍ ଓ ମାନୁଫାକ୍ଚରିଂ ଇଣ୍ଡଷ୍ଟ୍ରି ହେଉ କିମ୍ବା ଦକ୍ଷତା ବିକାଶ ଓ ଇଣ୍ଟର୍ଣ୍ଣସିପ୍, ସବୁ ଯୁବକୈନ୍ଦ୍ରୀକ ଏବଂ ଯୁବପିଢ଼ିଙ୍କୁ ଉପକୃତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଦେଶର ବିକାଶ ସହ ଜଡିତ ପ୍ରତ୍ୟେକ କ୍ଷେତ୍ରରେ ଯୁବପିଢ଼ିଙ୍କୁ ନୂଆ ସୁଯୋଗ ମିଳୁଛି ଏବଂ ସେମାନଙ୍କ ପ୍ରତିଭା ଓ ଆତ୍ମବିଶ୍ୱାସକୁ ସରକାରଙ୍କ ତରଫରୁ ସମର୍ଥନ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଆଜିର ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ ଭବିଷ୍ୟତର ନୂତନ ଆବଶ୍ୟକତା, ଆଶା ଏବଂ ଭବିଷ୍ୟତର ଦିଗ ଉଭା ହେଉଛି । ପାରମ୍ପରିକ ସଫ୍ଟୱେରରୁ ଏଆଇ ଏବଂ ମେସିନ ଲର୍ଣ୍ଣିଂ ପର୍ଯ୍ୟନ୍ତ ବିକାଶକୁ ଦୃଷ୍ଟିରେ ରଖି ଆମର ଯୁବପିଢ଼ିଙ୍କୁ ଭବିଷ୍ୟତବାଦୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ନୂତନ ଜାତୀୟ ଶିକ୍ଷା ନୀତି ସହିତ ଦେଶ ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା, ଯେଉଁଥିରେ ଶିକ୍ଷାର ଆଧୁନିକୀକରଣ କରାଯାଇଥିଲା ଏବଂ ଶିକ୍ଷା ପାଇଁ ଖୋଲା ସୁଯୋଗ ପ୍ରଦାନ କରାଯାଇଥିଲା । ଛୋଟ ପିଲାଙ୍କ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ‘ମେରା ଯୁବ ଭାରତ’ ଅଭିଯାନର ଉଦ୍ଦେଶ୍ୟ ହେଉଛି ଶିକ୍ଷା ସହିତ ବ୍ୟବହାରିକ ସୁଯୋଗ ପ୍ରଦାନ କରିବା, ଯୁବପିଢ଼ିଙ୍କ ମଧ୍ୟରେ ସମାଜ ପ୍ରତି କର୍ତ୍ତବ୍ୟ ଭାବନା ସୃଷ୍ଟି କରିବା ବୋଲି ଶ୍ରୀ ମୋଦୀ କହିଥିଲେ । ଫିଟ୍ ରହିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀମୋଦୀ କହିଥିଲେ ଯେ ସୁସ୍ଥ ଯୁବକମାନେ ଏକ ସକ୍ଷମ ରାଷ୍ଟ୍ରର ନେତୃତ୍ୱ ନେବେ । ସେ କହିଥିଲେ ଯେ ଯୁବପିଢ଼ିଙ୍କ ମଧ୍ୟରେ ଫିଟନେସ୍ ବିଷୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଫିଟ୍ ଇଣ୍ଡିଆ’ ଏବଂ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ‘ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଶୁଭାରମ୍ଭ ଘୋଷଣା କରିଥିଲେ, ଯାହା କୁପୋଷଣ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ ଏବଂ ଏକ ବିକଶିତ ଭାରତର ଆଧାର ହେବ । “ବୀର ବାଲ ଦିବସ ଆମକୁ ପ୍ରେରଣାରେ ଭରିଥାଏ ଏବଂ ନୂତନ ସଂକଳ୍ପ କରିବାକୁ ଅନୁପ୍ରାଣିତ କରିଥାଏ ।“ ଆମର ମାନଦଣ୍ଡ ଏବେ ଶ୍ରେଷ୍ଠ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ନିଜ ନିଜ କ୍ଷେତ୍ରକୁ ସର୍ବୋତ୍ତମ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, ଯଦି ଆମେ ଭିତ୍ତିଭୂମି ଉପରେ କାମ କରୁ, ତେବେ ଆମର ସଡ଼କ, ରେଳ ନେଟୱାର୍କ ଏବଂ ବିମାନବନ୍ଦର ଭିତ୍ତିଭୂମି ବିଶ୍ୱର ଶ୍ରେଷ୍ଠ ହେବା ଉଚିତ୍ । ଯଦି ଆମେ ଉତ୍ପାଦନ ଉପରେ କାମ କରୁ, ତେବେ ଆମର ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋ ଯାନ ବିଶ୍ୱସ୍ତରରେ ଶ୍ରେଷ୍ଠ ହେବା ଉଚିତ୍ । ଯଦି ଆମେ ପର୍ଯ୍ୟଟନ କ୍ଷେତ୍ରରେ କାମ କରୁ, ତେବେ ଆମର ଗନ୍ତବ୍ୟସ୍ଥଳ, ଭ୍ରମଣ ସୁବିଧା ଏବଂ ଆତିଥ୍ୟ ସର୍ବୋତ୍ତମ ହେବା ଉଚିତ୍ । ଯଦି ଆମେ ମହାକାଶ କ୍ଷେତ୍ରରେ କାମ କରୁ, ତେବେ ଆମର ଉପଗ୍ରହ, ନେଭିଗେସନ୍ ଟେକ୍ନୋଲୋଜି ଏବଂ ଜ୍ୟୋତିର୍ବିଜ୍ଞାନ ଗବେଷଣା ସର୍ବୋତ୍ତମ ହେବା ଉଚିତ୍ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରିବାର ପ୍ରେରଣା ସାହିବଜାଦାଙ୍କ ସାହସିକତାରୁ ମିଳିଥାଏ । ସେ କହିଥିଲେ ଯେ ବଡ଼ ଲକ୍ଷ୍ୟ ଏବେ ଆମର ସଂକଳ୍ପ ପାଲଟିଛି । ଦେଶର ଯୁବବର୍ଗଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ, ବିଶ୍ୱର ବୃହତ୍ତମ କଂପାନିର ନେତୃତ୍ୱ ନେଇପାରୁଥିବା ଆଧୁନିକ ବିଶ୍ୱକୁ ମାର୍ଗଦର୍ଶନ କରିବା ପାଇଁ ଉଦ୍ଭାବନ କରିପାରୁଥିବା ଏବଂ ପ୍ରତ୍ୟେକ ପ୍ରମୁଖ ଦେଶ ଓ ଅଞ୍ଚଳରେ ନିଜର ଯୋଗ୍ୟତା ପ୍ରମାଣିତ କରିପାରିଥିବା ଭାରତର ଯୁବପିଢ଼ି ନୂଆ ସୁଯୋଗ ପ୍ରଦାନ କଲେ ନିଜ ଦେଶ ପାଇଁ କିଛି ବି ହାସଲ କରିପାରିବେ । ତେଣୁ ବିକଶିତ ଭାରତର ଲକ୍ଷ୍ୟ ନିଶ୍ଚିତ ଏବଂ ଆତ୍ମନିର୍ଭର ଭାରତର ସଫଳତା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ ଯୁଗରେ ଗୋଟିଏ ଦେଶର ଯୁବପିଢ଼ିଙ୍କୁ ଦେଶର ଭାଗ୍ୟ ବଦଳାଇବାର ସୁଯୋଗ ମିଳିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତୀୟ ଯୁବକମାନେ ବିଦେଶୀ ଶକ୍ତିର ଅହଂକାର ଭାଙ୍ଗି ନିଜର ଲକ୍ଷ୍ୟ ହାସଲ କରିଥିବା ବେଳେ ଆଜି ଯୁବପିଢ଼ି ଏକ ବିକଶିତ ଭାରତର ଲକ୍ଷ୍ୟର ସମ୍ମୁଖୀନ ହେଉଛନ୍ତି । ଏହି ଦଶନ୍ଧିରେ ଆମକୁ ଆଗାମୀ ୨୫ ବର୍ଷମଧ୍ୟରେ ଦ୍ରୁତ ଅଭିବୃଦ୍ଧିର ମୂଳଦୁଆ ପକାଇବାକୁ ପଡ଼ିବ ବୋଲି ସେ କହିଥିଲେ । ସମୟର ସଦୁପଯୋଗ କରି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବା ଏବଂ ଦେଶକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ସକ୍ରିୟ ରାଜନୀତିରେ ସାମିଲ ନଥିବା ଏକ ଲକ୍ଷ ଯୁବକଙ୍କୁ ଆଣିବା ପାଇଁ ତାଙ୍କର ଲକ୍ଷ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଗାମୀ ୨୫ ବର୍ଷ ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ନୂତନ ପିଢ଼ିକୁ ରାଜନୀତିକୁ ଆଣିବା ପାଇଁ ଯୁବଗୋଷ୍ଠୀଙ୍କୁ ଏହି ଅଭିଯାନର ଅଂଶ ହେବାକୁ ପଡ଼ିବ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆସନ୍ତା ବର୍ଷ ପ୍ରାରମ୍ଭରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମିଳନୀ’ ଆୟୋଜନ କରାଯିବ ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ । ଏଥିରେ ଦେଶର ଗାଁ, ସହର ଓ ସହରର ଲକ୍ଷ ଲକ୍ଷ ଯୁବକ ଯୁବତୀ ଯୋଗଦେଇ ବିକଶିତ ଭାରତର ପରିକଳ୍ପନା ଓ ରୋଡ୍ ମ୍ୟାପ୍ ଉପରେ ଆଲୋଚନା କରିବେ । ଅମୃତ କାଳର ୨୫ ବର୍ଷର ସଂକଳ୍ପକୁ ପୂରଣ କରିବା ପାଇଁ ଆଗାମୀ ଦଶନ୍ଧି, ବିଶେଷ କରି ଆଗାମୀ ପାଞ୍ଚ ବର୍ଷ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ସମଗ୍ର ଯୁବଶକ୍ତିକୁ ଉପଯୋଗ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ଯୁବବର୍ଗଙ୍କ ସମର୍ଥନ, ସହଯୋଗ ଓ ଶକ୍ତି ଭାରତକୁ ନୂତନ ଉଚ୍ଚତାକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଗୁରୁ, ବୀର ସାହିବଜାଦା ଓ ମାତା ଗୁଜରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ନିଜର ଅଭିଭାଷଣ ଶେଷ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି :
ବୀର ବାଲ ଦିବସ ଏକ ଦେଶବ୍ୟାପୀ ଉତ୍ସବ ଯାହାକି ଭାରତର ଭବିଷ୍ୟତର ମୂଳଦୁଆ ଭାବରେ ଶିଶୁମାନଙ୍କୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ‘ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ପୋଷଣ ସେବାର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ଏବଂ ସକ୍ରିୟ ଜନସମୁଦାୟ ଅଂଶଗ୍ରହଣକୁ ସୁନିଶ୍ଚିତ କରି ପୋଷଣ ଫଳାଫଳ ଏବଂ କଲ୍ୟାଣରେ ଉନ୍ନତି ଆଣିବା । ଏହି ଅବସରରେ ଯୁବବର୍ଗଙ୍କୁ ସାମିଲ କରିବା, ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଦେଶ ପ୍ରତି ସାହସ ଓ ସମର୍ପଣର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ମାଇଗଭ ଏବଂ ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ସମେତ ଅନେକ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଗପକୁହା, ସୃଜନଶୀଳ ଲେଖା, ପୋଷ୍ଟର ତିଆରି ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମ୍‌ଆର୍‌ବିପି)ର ବିଜେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.