ଜିଲ୍ଲାର ସାମଗ୍ରିକ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବୀରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଅଗଷ୍ଟ ୨୦ ମହାସମ୍ମିଳନୀରେ ଜିଲ୍ଲାର ସମସ୍ତ ସଂଗଠନ, ବ୍ୟକ୍ତି ବିଶେଷ ସାମିଲ ହେବାକୁ ଆହ୍ୱାନ

  • ସୁନ୍ଦରଗଡ଼ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଜନ ଆନ୍ଦୋଳନର ପ୍ରସ୍ତୁତି କରିବ ମହାସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବୀରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଗାମୀ ୨୦ ଅଗଷ୍ଟ ରାଉରକେଲା ଭଞ୍ଜ ଭବନ ପ୍ରେକ୍ଷାଳୟରେ ମହାସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ସୁନ୍ଦରଗଡ଼ ଜିଲ୍ଲାର ସାଂସଦ, ସମସ୍ତ ବିଧାୟକ ଓ ଜନପ୍ରତିନିଧିମାନଙ୍କୁ ଯୋଗଦାନ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ସଂଗଠନ ଯୁବ ଛାତ୍ର ଶ୍ରମିକ କୃଷକ କର୍ମଚାରୀ ମହିଳା କବି ସାହିତ୍ୟିକ, ଲେଖକ ନାଟ୍ୟକାର ବୁଦ୍ଧିଜୀବୀ ସାମାଜିକ କର୍ମୀ ସାମିଲ ହେବାକୁ ଆହ୍ୱାନ କରାଯାଇଛି । ଏ ମର୍ମରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ସଂଜୀବ ମହାନ୍ତି, ହରିହର ରାଉତରାୟ, ଗିରିଶ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ଗଣେଶ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି, ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ, ଜ୍ଞାନେନ୍ଦ୍ର ଦାସ, ପ୍ରଭାତ ମହାନ୍ତି, ନିରୁପମା ବଳିୟାର ସିଂହ, ଲତା ନାୟକ, ନଳିନୀକାନ୍ତ ଧର, ଦିଗମ୍ବର ମହାନ୍ତି ପ୍ରମୁଖ ଆଗାମୀ ଅଗଷ୍ଟ ୨୦ ତାରିଖ ମହାସମ୍ମିଳନୀକୁ ସଫଳ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ବିକାଶ ପ୍ରସଙ୍ଗରେ ନାଗରିକ ସୁରକ୍ଷା କମିଟି ଉତ୍‌ଥାପନ କରିଥିବା ୧୧ ଦଫା ଦାବୀ ଯଥା ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା କରିବା, ତାଳଚେର ବିମଳାଗଡ ରେଳପଥ ନିର୍ମାଣ ତୁରନ୍ତ ସଂପୂର୍ଣ୍ଣ କରିବା, ରାଉରକେଲାକୁ ରେଳ ଡିଭିଜନ ଘୋଷଣା କରିବା, ରାଉରକେଲାରେ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା, ବାସଚ୍ୟୁତଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ଏସଏମ୍‌ଇର ବିକାଶ, ଆର୍‌ଏସ୍‌ପିର ଆଧୁନିକକରଣ ଓ ସଂପ୍ରସାରଣ, ରାଉରକେଲାଠାରେ ଇଏସ୍‌ଆଇସି ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲାର ସଦର ମହକୁମାକୁ ରେଳପଥ ସଂଯୋଗ ସହ ନୂତନ ରେଳପଥ ନିର୍ମାଣ ଓ ଜିଲ୍ଲାର ବିଭିନ୍ନ ରେଳଷ୍ଟେସନ ଗୁଡ଼ିକର ଉନ୍ନତିକରଣ ପ୍ରଭୃତି ଦାବୀରେ ନାଗରିକ ସୁରକ୍ଷା କମିଟି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ଲଗାତର ଭାବେ ଆନ୍ଦୋଳନ ଜାରି ରଖିଥିବା ବେଳେ ରାଉରକେଲା ରିଙ୍ଗ ରୋଡରେ ୧୮ କିଲୋମିଟର ବ୍ୟାପୀ ମାନବ ଶୃଙ୍ଖଳ କାର୍ୟ୍ୟକ୍ରମ ସଂଗଠିତ କରାଯାଇଛି ଓ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କୁ ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ ସୁରକ୍ଷା କମିଟି ପକ୍ଷରୁ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ସାଂସଦ ଓ ରାଜ୍ୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ମଧ୍ୟ ଅବଗତ କରାଯାଇଛି । ଏହି ଆନ୍ଦୋଳନକୁ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମାଜର ସକଳ ସ୍ତରର ଜନଗଣଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବା ପାଇଁ ଗତ ଜୁନ ୧୧ ତାରିଖରେ ଜିଲ୍ଲାସ୍ତରୀୟ ଯୁବ ଛାତ୍ର ସମ୍ମିଳନୀ, ଜୁନ୍ ୨୫ ତାରିଖରେ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ ସମ୍ମିଳନୀ, ଜୁଲାଇ ୯ ତାରିଖରେ ଜିଲ୍ଲାସ୍ତରୀୟ କବି ଲେଖକ ସାହିତ୍ୟିକ ନାଟ୍ୟକାର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ସମ୍ମିଳନୀ ଏବଂ ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀ, ୩୦ ଜୁଲାଇରେ ଭଞ୍ଜ ଭବନ ସମ୍ମୁଖରେ ପଥପ୍ରାନ୍ତ କବିତା ପାଠୋତ୍ସବ ସଂଗଠିତ କରିଥିବା ବେଳେ ଆସନ୍ତା ଅଗଷ୍ଟ ୨୦ ତାରିଖ ଭଞ୍ଜ ଭବନ ପ୍ରେକ୍ଷାଳୟରେ ମହାସମ୍ମିଳନୀରେ ଅନୁଷ୍ଠିତ କରିବାକୁ ଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଜନ ସାଧାରଣ ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ୱାନ କରିଥିଲେ । ଏହି ମହାସମ୍ମିଳନୀକୁ ସଫଳ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ବ୍ୟାପୀ ପ୍ରଚାର ଅଭିଯାନ କରିବା ସହ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭା ମାନ ସଂଗଠିତ କରିବା, ବ୍ୟାପକ ପ୍ରଚାର ପତ୍ର ବଣ୍ଟନ ସହ ସକଳ ସ୍ତରର ଜନଗଣଙ୍କୁ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.