
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମଇ ମାସରେ ବ୍ରହ୍ମପୁର ଠାରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ୯ ଥର ଜନ ଅଭିଯୋଗ ଶୁଣାଣି କରିଥିବା ବେଳେ ଦଶମ ଥର ଅଭିଯୋଗ ଶୁଣାଣି ଶିବିର ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଥିଲା । ୧୧ତମ ଅଭିଯୋଗ ଶୁଣାଣି ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି କରାଯାଉଛି । ଏଥିରେ ଦକ୍ଷିଣାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାର ଜନସାଧାରଣଙ୍କ ସମେତ, ଏହି ଶିବିର ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣିର ଅନ୍ତର୍ଭୁକ୍ତ ହୋଇଥିବାରୁ ଅନ୍ୟ ଯେକୌଣସି ଜିଲ୍ଲାର ବ୍ୟକ୍ତି ଯଦି ଏହିଦିନ ବ୍ରହ୍ମପୁର ଶିବିରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ପଞ୍ଜିକରଣ କରିବେ, ସେମାନଙ୍କ ଅଭିଯୋଗ ଗୁଡିକ ମଧ୍ୟ ଏହି ଶିବିରରେ ଶୁଣାଣି ହୋଇପାରିବ । ଶିବିର ଆୟୋଜନର ତାରିଖ ଏବଂ ସ୍ଥାନ ନିର୍ଦ୍ଧାରିତ ହେବା ପରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଯଥେଷ୍ଟ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର କରି ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ଏବଂ ଏ ସମ୍ପର୍କରେ ଆବଶ୍ୟକ ପ୍ରସ୍ତୁତି ଜାରି ରହିଛି । ରାଜ୍ୟ ସରକାର ଆନ୍ତରିକତାର ସହ ସମସ୍ତ ଜନ ସାଧାରଣଙ୍କର ଅଭିଯୋଗ ଶୁଣାଣି କରୁଛନ୍ତି । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜନ ସାଧାରଣଙ୍କ ଅଭିଯୋଗକୁ ମାନବୀୟ ଭାବାବେଗର ସହ ଗ୍ରହଣ କରାଯାଇ ଶୁଣାଣି ହେବ । ଗ୍ରୀଷ୍ମ ପ୍ରବାହ ହେତୁ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯନ୍ତ ଅଭିଯୋଗ ଗୁଡିକର ଶୁଣାଣି ହେବ । ଅଭିଯୋଗ ଆବେଦନ ନିମନ୍ତେ ୭୨ ଘଣ୍ଟା ପୂର୍ବରୁ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଇ ଅଭିଯୋଗକାରୀ ଅଭିଯୋଗ ଶିବିରରେ ଯୋଗଦାନ କରିପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ପଞ୍ଜିକୃତ ହୋଇଥିବା ହଜାର ଗୋଟି ଆବେଦନର ଶୁଣାଣୀ କରିବେ । ଏତତ୍ ବ୍ୟତୀତ ଅଣ ପଞ୍ଜିକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ର ଗୁଡିକ ମଧ୍ୟ ସିଧା ସଳଖ ଶିବିରରେ ଗ୍ରହଣ କରାଯିବ । ରାଜ୍ୟସ୍ତରୀୟ ଏହି ଅଭିଯୋଗ ଶୁଣାଣି ପ୍ରଥମ ଥର ପାଇଁ ବ୍ରହ୍ମପୁର ଠାରେ ହେଉଥିବା ହେତୁ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖାଦେଇଛି । ଅଧିକ ସଂଖ୍ୟରେ ଦକ୍ଷିଣାଞ୍ଚଳ ଜିଲ୍ଲାର ଅଧିକରୁ ଅଧିକ ଲୋକେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଯୋଗଦାନ କରିବେ ବୋଲି ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅଭିଯୋଗ ପ୍ରକୋଷ୍ଠରେ ଆଇନ୍ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ବ୍ୟବସ୍ଥା, ଅଂଶୁଘାତ ଜନିତ ଚିକିତ୍ସା ନିମନ୍ତେ ଅସ୍ଥାୟୀ ଶିବିର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଶିଶୁ ମାତୃକକ୍ଷ, ପ୍ରେସ ଗ୍ୟାଲେରୀ, ନିରନ୍ତର ବିଦ୍ୟୁତ ସେବା ବ୍ୟବସ୍ଥା, ସ୍ୱଚ୍ଛତା ପରିମଳ ବ୍ୟବସ୍ଥା, ଅଭିଯୋଗକାରୀ କିଭଳି ଶାନ୍ତି ଶୃଙ୍ଖଳାର ସହିତ ନିଜର ଅଭିଯୋଗ ଜଣାଇବେ, ସେଥିପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଆନୁସଙ୍ଗୀକ ପ୍ରସ୍ତୁତି କରାଯାଉଛି । ଏଥି ସକାଶେ ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ-ତଥା-ସ୍ୱତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓଡିଶା ନିହାର ରଞ୍ଜନ ଦାଶ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି । ।