centurian jitm

ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

nschool
  • ଜେଲ ଗଲେ ସଂସ୍ଥାର ଦୁଇ କର୍ମଚାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭ଟି ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି ମୁରିବାହାଲ ପୁଲିସ କୋର୍ଟ ଚାଲାଣ କରିଛି । ଜେଲ୍ ଯାଇଥିବା ଦୁଇ କର୍ମଚାରୀ ହେଲେ ଏହି ଥାନା ମାଳିଶିରା ଗ୍ରାମର ଚକ୍ରଧର ପୁଟେଲ(୩୨) ଓ ଦେଓଗାଁ ଥାନା କଛାରପାଲି ଗ୍ରାମର କନ୍ଦର୍ପ ସେଠ(୩୯) । ଟିଟିଲାଗଡ ଏସ୍‌ବିଆଇ ଶାଖାର ମୁଖ୍ୟ ପ୍ରବନ୍ଧକ ଦେବାଶିଷ ଯୋଶୀ ଥାନାରେ ଦେଇଥିବା ଏତଲା ମୁତାବକ ଏହି ଅଞ୍ଚଳର ୭ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଏଜିଏସ୍‌ ସିକ୍ୟୁର ଭେଲ୍ୟୁ ଲିମିଟେଡ ନାମକ ସଂସ୍ଥା ଦାୟିତ୍ଵ ନେଇଥିଲା । ଏହି ସଂସ୍ଥା ବ୍ୟାଙ୍କରୁ ଟଙ୍କା ଆଣି ଏଟିଏମ୍‌ଗୁଡିକରେ ଭର୍ତ୍ତି କରୁଥିଲେ ମଧ୍ୟ କିଛି କିଛି ଟଙ୍କା ହେରଫେର ହେଉଥିବା ବିଶେଷ ସୂଚନା ମିଳିଥିଲା । ସବିଶେଷ ଅଡିଟରୁ ସଂସ୍ଥା ପକ୍ଷରୁ ମୋଟ ୧୫ଲକ୍ଷ ୯୦ହଜାର ୫ଶହ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଏଥିପାଇଁ ଦାୟୀ ଦୁଇ କର୍ମଚାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଡାକି ପଚରାଉଚରା କରାଯିବା ସହ ବକେୟା ଟଙ୍କା ରିକଭରି ପାଇଁ ବାରମ୍ବାର ତାଗିଦ୍ କରାଯାଇଥିଲା । ସେମାନେ ଏହାକୁ ଅଣଦେଖା କରି ହେୟଜ୍ଞାନ କରିଥିଲେ । ଶେଷରେ ଶ୍ରୀ ଯୋଶୀ ଥାନାରେ ଏତଲା ଦେଇଥିଲେ । ଶ୍ରୀ ଯୋଶୀଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୮୭/୨୫, ଦଫା ୩୧୬(୩),୩୧୬(୫),୩୧୮(୪),(୩)(୫) ବିଏନ୍‌ଏସ୍‌ରେ ମାମଲା ରୁଜ୍ଜୁ କରି ଏସ୍‌ଆଇ ପ୍ରମୋଦ କୁମାର ପଧାନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ଦୁଇଜଣଙ୍କୁ ଆଣି ଅଟକ ରଖି ଅଧିକ ତଦନ୍ତ କରିଥିଲା । ସେମାନେ ଉଭୟ ନିଜ ଦୋଷ ସ୍ଵୀକାର କରିବାରୁ ଉଭୟଙ୍କୁ ଗିରଫ କରାଯାଇଥିଲା । ସୋମବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି । ଏହି ଟଙ୍କା ହେରଫେର ଘଟଣାରେ ଉଭୟ ଅଭିଯୁକ୍ତଙ୍କ ସହ ଆଉ କେଉଁମାନେ ସଂପୃକ୍ତ ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.