
ପାଟଣା : ମୋବାଇଲ୍ କିଣିବାକୁ ଟଙ୍କା ନ ଦେବାରୁ କୀଟନାଶକ ଖାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ବଡ଼ ମହୁଲଡିହା ଗ୍ରାମରେ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଯୁଗଳ ନାଏକଙ୍କ ପୁଅ ବିଶ୍ଵାମିତ୍ର ନାଏକ (୨୦) । ସୂଚନା ଅନୁସାରେ ସେ ଗତକାଲି ରାତିରେ ଘରକୁ ଫେରି ମା’କୁ ମୋବାଇଲ୍ କିଣିବା ପାଇଁ ୨ ହଜାର ଟଙ୍କା ମାଗିଥିଲେ । ମା’ ନଦେବାରୁ ସେ କୀଟନାଶକ ଔଷଧ ଖାଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ବିଶ୍ଵାମିତ୍ରଙ୍କୁ ମୃତ ଘୋଷଣା କରିଥିଲେ ।