ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଏସ୍ବିଆଇ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏଟିଏମ୍ ମେସିନ୍ ଭାଙ୍ଗିଥିଲେ ସୁଦ୍ଧା ଟଙ୍କା ଲୁଟ୍ କରିବାରେ ଲୁଟେରା ବିଫଳ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଲୁଟେରା ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସର ରାତ୍ରୀ କାଳୀନ ପାଟ୍ରୋଲିଂ ଦେଖି ଲୁଟେରା ଜଣକ ଲୁଟ୍ ନକରି ଖାଲି ଏଟିଏମ୍ ଭାଙ୍ଗି ଚାଲିଯାଇଥବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଦାରିଙ୍ଗବାଡ଼ି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତି ଏଭଳି ଲୁଟ୍ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।