ସାମ୍ବାଦିକଙ୍କୁ ପୋଲିସ ଭେନ୍‌ ଧକ୍କା ପ୍ରସଙ୍ଗ : ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ୟୁନିଅନ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଧନୁର୍ଯ୍ୟ ସାହୁଙ୍କୁ କେସିଙ୍ଗାଠାରେ ପୋଲିସ ବସ୍‌ ଧକ୍କା ଦେବା ଘଟଣାକୁ ଇତି ମଧ୍ୟରେ ୧୧ ଦିନ ବିତି ଯାଇଛି । କିନ୍ତୁ ଏ ଯାଏ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାକୁ ନେଇ ବୁଧବାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କଳାହାଣ୍ଡି ସାମ୍ବାଦିକ ୟୁନିୟନ୍‌ (ଓୟୁଜେ) ପକ୍ଷରୁ ସାକ୍ଷାତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ଅଭିଯୋଗ ଅନୁସାରେ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଧନୁର୍ଯ୍ୟ ସାହୁ ବାଇକ ଯୋଗେ ଡ଼ିସେମ୍ବର ୨ ତାରିଖ ଦିନ ଯାଉଥିବା ସମୟରେ କେସିଙ୍ଗା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ଏକ ଧଳା ରଙ୍ଗର ପୋଲିସ ବସ୍‌ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ସାମ୍ବାଦିକମାନଙ୍କ ହାତ, ଆଣ୍ଠୁ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ଏନେଇ କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି । ତେବେ କେସିଙ୍ଗା ଥାନାଧିକାରୀ ଦୋଷୀ ପୋଲିସ ଡ୍ରାଇଭର ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏନେଇ ଆଜି କଳାହାଣ୍ଡି ସାମ୍ବାଦିକ ୟୁନିୟନ୍‌ର ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ତଥା କାର୍ଯ୍ୟରତ ସାମ୍ବାଦିକମାନେ କଳାହାଣ୍ଡି ଏସ୍‌ପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ସାକ୍ଷାତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଯଦି ୭ ଦିନ ମଧ୍ୟରେ କୌଣସି ସୁଫଳ ନମିଳେ ତେବେ ବାଧ୍ୟ ହୋଇ କଳାହାଣ୍ଡି ସାମ୍ବାଦିକ ୟୁନିୟନ୍‌ ଏସ୍‌ପି ଅଫିସ ସାମ୍ନାରେ ଧାରଣା ଦେବେ ବୋଲି ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.