ମୁରିବାହାଲ ବନାଞ୍ଚଳରେ ହାତୀପଲଙ୍କ ଆତଙ୍କ ଜାରି

  • କୂଅରେ ପଡ଼ିଥିବା ଛୁଆ ହାତୀ ଉଦ୍ଧାର ବେଳେ ଆକ୍ରମଣରେ କେନ୍ଦୁପତ୍ର ବିଭାଗ ଫରେଷ୍ଟର ଗୁରୁତର, ହାତୀ ଛୁଆ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବନାଞ୍ଚଳରେ ହାତୀପଲଙ୍କ ଆତଙ୍କ ଜାରି ରହିଛି । ଏହି ହାତୀପଲଙ୍କୁ ନେଇ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୂଅରେ ପଡ଼ିଥିବା ହାତୀ ଛୁଆକୁ ଉଦ୍ଧାର କରିବା ବେଳେ ହାତୀ ଦେଖିବାକୁ ଯାଇଥିବା ଜଣେ କେନ୍ଦୁପତ୍ର ବିଭାଗ ଫରେଷ୍ଟର ଗୁରୁତର ଆହତ ହୋଇଛନ୍ତି । ଗୁଡିଘାଟ ସେକ୍ସନ ବିଜାମାଲ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ବୁଧବାର ମଧ୍ୟ ରାତ୍ରିରେ ଗୋଟିଏ ଛୋଟ ହାତୀ(୨ବର୍ଷ) ପଡିଯାଇଥିଲା । ସ୍ଥାନୀୟ ଗ୍ରାମବାସୀମାନେ ସକାଳେ ହାତୀ ଛୁଆ କୂଅରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଗ୍ରାମର ସ୍ୱେଚ୍ଛାସେବୀ ଥବୀର ସାଙ୍କ ସହ ଅନ୍ୟ ଲୋକମାନେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ସ୍ଥାନୀୟ ପୋଲିସ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲା । ଏକ ଜେସିବି ସାହାଯ୍ୟରେ ବହୁ ପରିଶ୍ରମ କରି ହାତୀକୁ କୁଅରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ହାତୀଟି ଯେଉଁ ପଟେ ଜଙ୍ଗଲ ମୁହାଁ ହୋଇ ଯିବା କଥା ନ ଯାଇ ଶହ ଶହ ଦେଖଣାହାରି ଯେଉଁଆଡେ ଥିଲେ ସେହିପଟେ ଦୌଡ଼ି ଆସିଥିଲା । ଯିଏ ଯେଉଁଆଡେ ପାରିଲେ ଦୌଡ଼ିବାକୁ ଲାଗିଥିଲେ । ଅନ୍ୟ ଦେଖଣାହାରିଙ୍କ ସହ ହାତୀଛୁଆ ଦେଖିବାକୁ ଯାଇ ଦୌଡ଼ୁଥିବା ଗୁଡିଘାଟ କେନ୍ଦୁପତ୍ର ବିଭାଗ ଫରେଷ୍ଟର ପ୍ରଦୀପ କୁମାର ନାଥଙ୍କୁ ହାତୀଛୁଆଟି ଅତର୍କିତ ଆକ୍ରମଣ କରିଥିଲା । ଫଳରେ ସେ ପଡିଯିବାରୁ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ତାଙ୍କ ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ତୁରନ୍ତ ଘଟଣାସ୍ଥଳରୁ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପ୍ରଥମେ ସେହି ଜେସିବି ସାହାଯ୍ୟରେ ଓ ପରେ ଦମକଳ ବାହିନୀ ଗାଡ଼ିରେ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲ ନିଆଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ୭୦ଟିକିଆ ହାତୀପଲ ରହିଯାଇ ଆତଙ୍କ ସୃଷ୍ଟି କରୁଥିବାରୁ ପୂର୍ବରୁ ୨ଜଣଙ୍କ ଜୀବନ ଯିବା ସହ ଅନେକ ଫସଲ ନଷ୍ଟ ଅଭିଯୋଗ ହୋଇଛି । ହାତୀଛୁଆ ଉଦ୍ଧାରରେ ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ, ମୁରିବାହାଲ ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତି, ରେଞ୍ଜର ଶିବ ପ୍ରସାଦ ନାୟକ, ଥାନା ଏସଆଇ ଦନାର୍ଦନ ଓରାମ, ଦମକଳ ବିଭାଗ ଓଆଇସି ଶ୍ରୀକାନ୍ତ ସେଠଙ୍କ ସମସ୍ତ ବନ କର୍ମଚାରୀ, ପୁଲିସ ଓ ଦମକଳ ବାହୀନି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ହାତୀ ଆକ୍ରମଣରେ ପୂର୍ବରୁ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରତିଦିନ ହାତୀପଲକୁ ନେଇ କ୍ଷୟକ୍ଷତି ଖବର ଆସୁଛି । ତଥାପି ବଲାଙ୍ଗିର ବନ ବିଭାଗ ଯେଭଳି ତତ୍ପରତା ଦେଖାଇବା କଥା ତାହା ଦେଖାଉନଥିବାରୁ ମୁରିବାହାଲ ବ୍ଲକ ଅଞ୍ଚଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଘଟଣା ସ୍ଥଳକୁ ପହଞ୍ଚିଥିବା ବଲାଙ୍ଗିର ଏସିଏଫ ମୁରାରୀ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ଏହି ଅଞ୍ଚଳରେ ହାତୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଥିବାରୁ ସେମାନେ ଆଉ କୁଆଡେ ନ ଯିବାରୁ ବିଭାଗ ପକ୍ଷରୁ କେବଳ ହାତୀପଲଙ୍କ ଗିତିବିଧି ହିଁ ନିରୀକ୍ଷଣ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.