ସ୍ୱାମୀକୁ ମାରି ପୋତିଦେଲା ୩ ଦିନ ପରେ ସ୍ତ୍ରୀର ଆତ୍ମସମର୍ପଣ

ସୁକିନ୍ଦା : ମୋତେ ସେ ସବୁବେଳେ ପିଟୁଥିଲା ସେଦିନ ନିଶା ଖାଇ ମୋତେ ମାରୁଥିଲା । ଠେଙ୍ଗାରେ ପାହାରେ ଦେଲି ଆଉ ଉଠିଲାନି । ଆମ ଘର ପାଖ ଝରଣା କୂଳରେ ତାକୁ ପୋତି ଦେଲି । ରବିବାର ଅପରାହ୍ଣରେ ସୁକିନ୍ଦା ଥାନାକୁ ଜଣେ ମହିଳା ଆସି ଏପରି କହିଥିଲା । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଡୁବିଖାଲ ଗାଁରେ ଏପରି ଘଟଣା ଘଟିଥିବା ବେଳେ ମୃତକ ବାବୁଲି ମୁଣ୍ଡା(୩୫) ଏବଂ ହତ୍ୟାକାରୀ ତାଙ୍କ ପତ୍ନୀ ଦୁମାରି ମୁଣ୍ଡା(୩୦) ବୋଲି ଜଣାପଡ଼ିଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ କେନ୍ଦୁଝର ଅଞ୍ଚଳର ବାବୁଲି ପୂର୍ବରୁ ବିବାହିତ । ପ୍ରଥମ ପତ୍ନୀ ଗାଁରେ ଥିବା ବେଳେ ବାବୁଲି ପାରାଦୀପ ଅଞ୍ଚଳକୁ ଆସି କାମ କରୁଥିଲେ । ସେଠାରେ ଦୁମାରି ସହ ଦେଖା ହୋଇଥିଲା । ପରେ ବାବୁଲି ଦୁମାରିକୁ ଦ୍ୱିତୀୟ ବିବାହ କରି ଶ୍ୱଶୁର ଘର ଗାଁ ଡୁବିଖାଲରେ ରହୁଥିଲେ । ନିଶା ସେବନ କରି ବିଭିନ୍ନ ସମୟରେ ବାବୁଲି ଦୁମାରିକୁ ମାର୍‌ପିଟ୍‌ କରୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ବାବୁଲି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଦୁମାରିକୁ ପ୍ରବଳ ମାଡ଼ ମାରିଥିଲେ । ଆତ୍ମରକ୍ଷା ପାଇଁ ଦୁମାରି ଏକ ଠେଙ୍ଗାରେ ପ୍ରତି ଆକ୍ରମଣ କରିଥିଲା । ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇଥିଲା । ହେଲେ ତାଙ୍କୁ ଡାକ୍ତରଖାନା ଅଣାଯାଇନପାରିବାରୁ କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଉକ୍ତ ଗ୍ରାମର ଘରଗୁଡ଼ିକ ପରସ୍ପର ଠାରୁ ଦୂରରେ ଥିବାରୁ ଏ ସମ୍ପର୍କରେ ପଡ଼ୋଶୀଙ୍କ ପାଖରେ କୌଣସିପ୍ରକାର ଖବର ନଥିଲା । ସେହି ରାତିରେ ସ୍ତ୍ରୀ ଦୁମାରି ନିଜ ଘର ପାଖ ଜଙ୍ଗଲକୁ ମୃତଦେହ ନେଇଯାଇ ଏକ ଝରଣା କୂଳରେ ଗାତ ଖୋଳି ପୋତି ଦେଇଥିଲା । ଘଟଣାକୁ ତିନି ଦିନ ବିତିବା ପରେ ପୋତାଯାଇଥିବା ସ୍ଥାନରୁ ପଚାଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଘଟଣାର ଖୋଳତାଡ଼ କରିଥିଲେ । ଦୁମାରି ବାବୁଲିକୁ ହତ୍ୟା କରି ସେଠାରେ ପୋତିଥିବା ମାନି ଯାଇଥିଲା । ଏହାପରେ ଗ୍ରାମର କିଛି ଲୋକଙ୍କ କହିବା ଅନୁସାରେ ଆଜି ଅପରାହ୍ଣରେ ସୁକିନ୍ଦା ଥାନାରେ ଦୁମାରି ଆତ୍ମସମର୍ପଣ କରି ଘଟଣା ସଂପର୍କରେ ପ୍ରକାଶ କରିଥିଲା । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତା କାଲି ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବ

Leave A Reply

Your email address will not be published.