jayashree

ସୁଭଦ୍ରା ପାଇଁ ହୋର୍ଡିଙ୍ଗ ବିଜ୍ଞାପନ ବ୍ୟୟ ଅଟକଳ ୭ କୋଟି

  • ସରକାର ବଦଳିଛି ହେଲେ ଚରିତ୍ର ବଦଳିନି – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭାଗୀୟ ଜନ ସୂଚନା ଅଧିକାରୀ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ, ରାଜ୍ୟ ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନା ପାଇଁ ହୋର୍ଡିଙ୍ଗ ବିଜ୍ଞାପନ ବାବଦକୁ ୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ବ୍ୟୟ ଅଟକଳ କରିଛନ୍ତି । ବିଭିନ୍ନ ଟ୍ୟାକ୍ସକୁ ବାଦ୍‌ ଦେଇ ଏହି ବ୍ୟୟ ଅଟକଳ କରାଯାଇଛି । ଟ୍ୟାକ୍ସ ଖର୍ଚ୍ଚ ମିଶିଲେ ଏହି ଖର୍ଚ୍ଚରେ ଆହୁରି ବୃଦ୍ଧି ଘଟିବ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଓ ୱେବ ମଡିଆର ପ୍ରାୟ ୭୦ ଲକ୍ଷ ଟଙ୍କା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନଥିବା ଜଣାପଡିଛି । ପୂର୍ବ ବିଜେଡି ସରକାର ବିଜ୍ଞାପନ ଓ ସଭା ସମିତି ଆଳରେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିଲେ । କିନ୍ତୁ ଲୋକେ ଏହାକୁ ଗ୍ରହଣ କଲେ ନାହିଁ ସରକାର ବଦଳାଇ ଦେଲେ ହେଲେ ବର୍ତ୍ତମାନର ସରକାର ମଧ୍ୟ ପୂର୍ବ ସରକାରର ଏହି ନୀତିକୁ ଅନୁସରଣ କରୁଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ସରକାର ବଦଳିଛି ହେଲେ ସରକାରୀ ଅର୍ଥ ଅପବ୍ୟୟ କରିବାରେ ଚରିତ୍ର ବଦଳିନି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସରକାରଙ୍କ ଜନମଙ୍ଗଳକାରୀ ସିଧାସଳଖ କ୍ୟାସ ଟ୍ରାନ୍ସଫର ଭଳି ଆର୍ଥିକ ସହାୟତା ଯୋଜନାରେ ହୋର୍ଡିଙ୍ଗ ବିଜ୍ଞାପନ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରିବା କେବଳ ଦଳୀୟ ପ୍ରଚାର ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଗଣମାଧ୍ୟମ ଜରିଆରେ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଜନ ସଚେତନତା ପାଇଁ ଯଥେଷ୍ଟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.