ସ୍ୱାମୀକୁ ହତ୍ୟା ଅଭିଯୋଗରେ ଖଣ୍ଡପଡ଼ା ଥାନାରେ ସ୍ତ୍ରୀ ଅଟକ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧିନସ୍ଥ ଖଳିସାହି ପଞ୍ଚାୟତର ବାସୁଦେବପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଅତି ଅମାନୁଷିକ ଭାବେ ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କୁ ଖଣ୍ଡପଡ଼ା ଥାନାରେ ଅଟକ ରଖିଥିବା ଜଣାପଡିଛି । ସାଇଣ୍ଟିଫିକ ଟିମ ଦିନ ତମାମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ସୂଚନା ମିଳିଛି । ଘଟଣାକ୍ରମେ ବାସୁଦେବପୁର ଗ୍ରାମର ବାପୁନି ମହାପାତ୍ର ଓ ସ୍ତ୍ରୀ ଲକି ନାୟକ ମଧ୍ୟରେ ବିଭିନ୍ନ କାରଣକୁ କେନ୍ଦ୍ରକରି ସଦାବେଳେ ପାଟିତୁଣ୍ଡ ହୋଇଆସୁଥିଲା । ଗତ ୬ ମାସ ତଳେ ଉଭୟଙ୍କର ବିବାହ ହୋଇଥିବାବେଳେ ପରିବାରରେ ସଦାସର୍ବଦା ଅଶାନ୍ତି ଲାଗି ରହୁଥିଲା । ତେବେ ଗତ ୨ ଦିନ ହେଲା ଘରେ ଶାଶୁ ଓ ଶଶୁର କେହି ନଥିବାର ସୁଯୋଗ ନେଇ ବୋହୁ ଲକି ସୁଚିନ୍ତିତ ଉପାୟରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱାମୀକୁ ହତ୍ୟା କରି ଘଟଣାଟିକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରିଥିଲେ ହେଁ ପୁଅକୁ ବୋହୁ ହତ୍ୟା କରିଥିବା ନେଇ ପୁଅର ବାପା ମଧୁସୂଦନ ମହାପାତ୍ର ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ପୋଲିସ ମାମଲା ରୁଜୁକରି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବାବେଳେ ଏହି ଘଟଣାର ପ୍ରଛଦପଟ୍ଟରେ ଆଉ କିଏ କିଏ ଅଛନ୍ତି ସେ ସଂପର୍କରେ ପୋଲିସ ଅଧିକ ଖୋଲତାଡ କରୁଥିବା ଜଣାଯାଇଛି । ଏହି ଘଟଣା ଖଣ୍ଡପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.