କଣ୍ଟିଲୋ : ଭାପୁର ବ୍ଲକ ଅଧୀନ କଣ୍ଟିଲୋ-ଫତେଗଡ଼ ରାସ୍ତାର କୁକୁଡ଼ାଖାଇ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ୍ ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ପଥରଚକଡ଼ା ଗାଁର ୬୨ ବର୍ଷୀୟ ନିରଞ୍ଜନ ଗୋଛି ନିଜ ବଳଦଙ୍କୁ ନେଇ ଜମିକୁ ଚାଷ କରିବା ଲାଗି ଯାଉଥିଲେ । ଫତେଗଡ଼ ପଟୁ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ନିରଞ୍ଜନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ନିରଞ୍ଜନ ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିରଞ୍ଜନଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । କିନ୍ତୁ, ଯିବା ବାଟରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଏବଂ ଡ୍ରାଇଭର କଣ୍ଟିଲୋ ଫାଣ୍ଡିରେ ଅଟକ ରହିଥିବା ସୂଚନା ମିଳିଛି ।