centurian jitm

ରାଷ୍ଟ୍ରୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କୃତିତ୍ୱ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ୱତନ୍ତ୍ର ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛି । ଚଳିତ ବର୍ଷ ‘ବିଶ୍ୱ ପରିବେଶ ଦିବସ’ ପାଳନ ଅବସରରେ ଆୟୋଜିତ ଏ ପ୍ରତିଯୋଗିତାଟି ‘Life style for Environment’ ବିଷୟବସ୍ତୁ ଉପରେ ଆଧାରିତ ଥିଲା । ସଂପ୍ରତି ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ ବ୍ୟଙ୍ଗଚିତ୍ରଟିରେ ‘ବିଶ୍ୱ ସ୍ତରରେ ଅମୂଲ୍ୟ ଜଳ ସଂମ୍ପଦର ଜୀବନ-ଯାପନ ଶୈଳୀ ଜନୀତ ଦୂରୁପଯୋଗ ତଥା ଏହାର କରୁଣ ଭବିଷ୍ୟତ’ ସଂପର୍କରେ ଏକ ଶାଣିତ ବ୍ୟଙ୍ଗାତ୍ମକ ଅବଧାରଣା ପ୍ରଦାନ କରାଯାଇଅଛି । ପ୍ରତିଯୋଗିତା ସଂମ୍ପର୍କିତ ଏକ ଭବ୍ୟ ପ୍ରଦର୍ଶନୀର ଆୟୋଜନ ମଧ୍ୟ ଏ ଅବସରରେ କରାଯାଇଛି । ଏଠାରେ ଆହୁରି ମଧ୍ୟ ସୂଚନା ଦିଆଯାଇପାରେ ଯେ, ନିକଟ ଅତୀତରେ ‘ପ୍ରତ୍ନତାତ୍ୱିକ ତଥା ପର୍ଯ୍ୟଟନ ସ୍ଥଳୀର ସ୍ୱଚ୍ଛତା’, ‘ଏକକ ବିଶ୍ୱ’ ଓ ‘ଯୁଦ୍ଧ ନୁହେଁ –କେବଳ ଭ୍ରାତୃତ୍ୱ’ ଉପରେ ଆଧାରିତ ତିନୋଟି ଜାତୀୟ ପ୍ରତିଯୋଗିତା ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆୟୋଜିତ ଭିନ୍ନ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ମଧ୍ୟ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ଗୁଡିକ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା । ଏଥିସହ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ ଏକ୍‌ଜିବିସନ’, ମୁମ୍ବାଇ ଠାରେ ହୋଇଥିବା ‘ବାଲ୍‌ ଠାକରେ ଆନ୍ତର୍ଜାତୀୟ କାର୍ଟୁନ୍‌ ଏକ୍‌ଜିବିସନ’, ଜାମୁଠାରେ ପ୍ରଖ୍ୟାତ ସନ୍ତୁର ବାଦକ ପ. ଶିବ କୁମାର ଶର୍ମାଙ୍କ ସ୍ମୃତି ପ୍ରଦର୍ଶନୀ ଏବଂ କୋଚି ଠାରେ କାର୍ଟୁନ୍‌ ମେନ୍‌ ବାଦୁସା ମେମୋରିଏଲ୍‌ ଇଂଟରନେସେନାଲ୍‌ କେରିକେଚର୍‌ ଏକ୍‌ଜିବିସନ୍‌ରେ ଏମାନଙ୍କ କୃତି ସ୍ଥାନ ପାଇଥିଲା । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅବିରତ ଭାବରେ କାର୍ଟୁନ କରି ଆସୁଥିବା ଓଡିଶାର ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ । ପୃଥିବୀର ଏକମାତ୍ର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଭାବରେ ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକବାର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ନେଟ୍‌ ଅଏଲ୍‌ କାର୍ଟୁନ୍‌ ପ୍ରତିଯୋଗିତା-ଫ୍ରାନ୍ସ, ଗୁରା ହ୍ୟୁମରୁଲୁଇ-ରୋମାନିଆ, ଡିକାକୋ-ସାଉଥ କୋରିଆ, ସାଲୋନ୍‌ ଅଫ୍‌ ଗ୍ରାଫିକ୍‌ ହ୍ୟୁମର- ପେରୁ, ଏଫ୍‌.ସି.ଡବ୍ଲୁ.–ଚୀନ୍‌ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ଭିଲାଇ ଷ୍ଟିଲ ପ୍ଲାଂଟ, ହିନ୍ଦୁସ୍ଥାନ୍‌ ଟାଇମ୍ସ, କାର୍ଟୁନ୍‌ ଓା୍ୱଚ୍‌ ଦ୍ୱାରା ଆୟୋଜିତ ଜାତୀୟ ପ୍ରତିଯୋଗିତା ଏ ମଧ୍ୟରେ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.