
ନୂଆପଡ଼ା, (ନରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ସାଲେଭଟା ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏବେ ୬ ଜଣ ଛାତ୍ରଛାତ୍ରୀ କୋମନା ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଋତୁକାଳୀନ ଆବାସିକ କେନ୍ଦ୍ରରେ ୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମଙ୍ଗଳବାର ରାତିରେ ପିଲାମାନଙ୍କୁ ଭାତ ଓ ଅଣ୍ଡା ଖାଇବାକୁ ଦିଆଯାଇଥିଲା । ରାତ୍ରୀ ଭୋଜନର କିଛି ସମୟ ପରେ ହଠାତ୍ ୨୧ ଜଣ ଛାତ୍ରଛାତ୍ରୀଙ୍କର ବାନ୍ତି ହୋଇଥିଲା । ରାତିରେ ସ୍କୁଲ ପ୍ରଧାନ ଶିକ୍ଷକ ହଳଧର ଶବର ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ବିଳମ୍ବିତ ରାତିରେ ଛାତ୍ରଛାତ୍ରୀମାନେ ସୁସ୍ଥ ହେବାରୁ ସ୍କୁଲକୁ ନେଇଥିଲେ । ଆଜି ସକାଳେ ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୁଣି ୬ ଜଣ ଅସୁସ୍ଥ ହୋଇ ପଡ଼ିବାରୁ ପୁଣି କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ କୋମନା ହସ୍ପିଟାଲରେ ୬ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି ।