ବିସିଜି ଟିକା ନେଇ ୫୦ରୁ ଅଧିକ ଅସୁସ୍ଥ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ ଟିକା ନେଇଥିବା ସ୍ଥାନରେ ହୋଇଥିବା ଘା’ ସଂକ୍ରମଣ ହୋଇ ଯାଉଥିବାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି । ଟିକା ନେବାର ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହାତର ବ୍ୟଥା କମୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଟିକା ଦେବାବେଳେ କିଛି ଭୁଲ ରହୁଥିବାବା ସେମାନେ ଆଶଙ୍କା କରୁଛନ୍ତି । ଯକ୍ଷ୍ମା ନିରାକରଣ ନିମନ୍ତେ ଗତ ମାସ ୨୭ ତାରିଖରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିସିଜି ଟିକା ଦିଆଯିବା ଆରମ୍ଭ ହୋଇଛି । ଇତିମଧ୍ୟରେ ବାଲିଗୁଡ଼ା ଏନ୍‌ଏସି ଓ ବ୍ଲକ ଅଞ୍ଚଳର ୫୦୦ରୁ ଅଧିକ ପୁରୁଷ ମହିଳା ବିସିଜି ଟିକା ନେଇ ସାରିଲେଣି । ଏଥିରୁ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ବାଲିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମ‌ବାର ଓ ଗୁରୁବାର ଏହି ବିସିଜି ଟିକା ଦିଆଯାଉଛି । ତେବେ ବିସିଜି ଟିକା ଦେବା ପରେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାମକୃଷ୍ଣ ପାତ୍ର କହିଛନ୍ତି ଯେ, ଏହି ଟିକା ନେବା ପରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହିଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ମେଡିକାଲ ପ୍ରଶାସନ ତରଫରୁ ଟିକାକୁ ନେଇ ସଚେତନତା କରାଯିବା ଆବଶ୍ୟକତା ରହିଥିବା ସାଧାରଣ ମତପ୍ରକାଶ ପାଇଛି ।

Leave A Reply

Your email address will not be published.