ମୁରିବାହାଲ ରେଳ ଫାଟକ ରାସ୍ତାରେ ବିରାଟ ଗାତ : ଯାତାୟତରେ ଅସୁବିଧା, ରେଳ ବିଭାଗର ଦୃଷ୍ଟି ପଡୁ ନି କି..?

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନର ପଶ୍ଚିମ ଦିଗକୁ ଥିବା ଆର୍‌ ଭି ଏନ୍‌ଓ ୧୩୭ ରେଳ ଫାଟକ ତାର ବାଡ ମଝିରେ ତଥା ବ୍ୟସ୍ତବହୁଳ ବଲାଙ୍ଗିର- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାରେ ଏକ ବିରାଟ ଗାତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ରେଳ ବିଭାଗ ପକ୍ଷରୁ କେବୁଲ କିମ୍ବା ପାଇପ କାମ କରାଯାଇ ଛାଡ଼ି ଦିଆଯାଇଥିବାରୁ ଏହି ରାସ୍ତା ଦବି ଯାଇ ବର୍ଷା ପାଣି ଜମି ରହୁଛି । ଫଳରେ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ତଥା ଦୁଇ ଓ ଚାରି ଚକିଆ ଯାନବାହନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଳ ଫାଟକରେ ଗେଟ ପଡ଼ିସାରି ଖୋଲିଲା ବେଳେ ଏଠାରେ ନାହିଁ ନଥିବା ଭିଡ଼ ହେଉଥିବା ଯୋଗୁଁ ଲୋକେ ଗାତରେ ପଡ଼ିଯାଉଥିବା ଦେଖିବାକୁ ମିଳୁଛି । ରାସ୍ତା ମଝିରେ ଥିବା ଗାତରେ ପାଣି ଜମି ରହୁଥିବାରୁ ଗାଡ଼ି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ରାସ୍ତା ପାଖରେ ଗାଡ଼ି ଚଳାଚଳ କରୁଛନ୍ତି । ମୁରିବାହାଲ ରେଳ ଫାଟକ ଯେଉଁଠି ୨୪ଘଣ୍ଟା ଜଗୁଆଳୀ ରହୁଥିବା ବେଳେ ସେହିଠାରେ ହିଁ ରାସ୍ତାରେ ବିରାଟ ଗାତ ସୃଷ୍ଟି ହୋଇ ଲୋକେ ଯାତାୟତରେ ଘୋର ଅସୁବିଧା ହେଉଥିଲେ ମଧ୍ୟ ରେଲବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ବିଭାଗୀୟ ଦାୟିତ୍ୱରେ ଅବହେଳା ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଫାଟକ ପରିପାର୍ଶ୍ଵ ମରାମତି ଦାୟିତ୍ୱରେ ଥିବା ବିଭାଗୀୟ ରେଳ ଅଧିକାରୀଙ୍କୁ ପଚାରିବାରୁ ମୁଁ ଜାଣି ନ ଥିଲି, ଆପଣଙ୍କଠାରୁ ଖବର ପାଇଲି, ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ । ଶୀଘ୍ର ଏହି ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ଥିବା ଗାତ ମରାମତି କରାଯିବା ପାଇଁ ମୁରିବାହାଲ ଅଞ୍ଚଳର ଜନସାଧାରଣ ରେଳ ବିଭାଗ ନିକଟରେ ଦୃଢ଼ ଦାବୀ କରିଛନ୍ତି । ଦେଖିବାକୁ ବାକି ରହିଲା ରେଳ ବିଭାଗ କେବେ ଏହି ଗାତ ମରାମତି କରୁଛି ।

jittmm
Leave A Reply

Your email address will not be published.