ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଏକ ଭର୍ଚୁଆଲ ସଭାରେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନାରେ ଦେଓଗାଁ ବ୍ଳକର ୪୮ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଦେଓଗାଁ ବ୍ଳକ ସଭାଗୃହରେ ଦେଓଗାଁ ବିଡିଓ ମୁରଲୀଧର ନାୟକ, ତହସିଳଦାର ଯୁଗଲ କିଶୋର ବିଶ୍ୱାଲ ସହ ଦେଓଗାଁ ବ୍ଳକ ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜର ନଳିନୀ ବେହେରା, ସୌଦାମିନୀ ମିଶ୍ର ଓ ରେଜିଆ ସୁଲତାନ ସହ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଡିଏସ ବିଭାଗ ଜରିଆରେ ସର୍ଭେ କରି କରୋନାରେ ଦେଓଗାଁ ବ୍ଳକର ମା’ ବାପା ହରାଇଥିବା ୮୯ଜଣ ଶିଶୁ ଚିହ୍ନଟ କରାଯାଇଛି । ତନମଧ୍ୟରୁ ଉଭୟ ବାପା ଓ ମା’ ହରାଇଥିବା ଶିଶୁ ସଂଖ୍ୟା ୪ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଓଗାଁ ବ୍ଳକର ୪୭ ଜଣ ବାପା କିମ୍ବା ମା’ ହରାଇଥିବା ଶିଶୁ ଓ ଉଭୟ ମା’ ଓ ବାପା ହରାଇଥିବା ଜଣେ ଶିଶୁ ମୋଟ ୪୮ଜଣଙ୍କ ଶିଶୁ ଟଙ୍କା ମଞ୍ଜୁର ହୋଇଆସିଛି । ମା’ ବାପା ହରାଇଥିବା ଶିଶୁଙ୍କୁ ମାସିକ ୨୫ଶହ ଓ କେବଳ ମା’ କିମ୍ବା ବାପା ହରାଇଥିବା ଶିଶୁଙ୍କୁ ମାସିକ ୧୫ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ରାଶି ଶିଶୁଙ୍କୁ ୧୮ ବର୍ଷ ହେଲେ ବନ୍ଦ ହୋଇଯିବ ବୋଲି ଯୋଜନାରେ ଅଛି ।