କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କେରୋକୁଡା ଗାଁର ଚିତ୍ର ଜାନି କିଛିମାସ ତଳେ ଜ୍ୱରରେ ପୀଡିତ ହୋଇଥିଲେ । ତାଙ୍କର ସ୍ତ୍ରୀ ସାବିତ୍ରୀ ଜାନି ସ୍ୱାମୀଙ୍କୁ ବଂଚାଇବା ପାଇଁ ଅନେକ ଡାକ୍ତରଖାନା ମଧ୍ୟ ନେଇଥିଲେ । ହେଲେ ଦଇବର ସହିଲା ନାହିଁ । ସ୍ୱାମୀଙ୍କ ଦେହାନ୍ତ ପରେ ସାବିତ୍ରୀ ତିନି ଛୁଆ ସଞ୍ଜୟ ଜାନି, ସାଗର ଜାନି ଓ ସବ୍ୟ ଜାନିଙ୍କୁ ନେଇ ବହୁତ ଅସୁବିଧାରେ ଜୀବନ ଯାପନ କରୁଥିଲେ । ମାସକ ମାତ୍ର ଚାଉଳ ୨୦ କିଲୋ ହିଁ ଭରସା ହୋଇଥିଲା । ନିଜର ଜମିବାଡ଼ି ନଥିବାରୁ ଅନ୍ୟ ଘରେ ମୂଳ ଲାଗିଲେ ହିଁ ତାଙ୍କର ଚୁଲି ଜଳୁଥିଲା । ସମସ୍ୟା ବିଷୟରେ ସ୍ଥାନୀୟ ବ୍ୟକ୍ତି ଶ୍ୱେତରାଜ ସାହୁ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଶ୍ରୀ ରଣା ଏହି ସମସ୍ୟା ବିଷୟରେ ଜାଣିବା ପରେ ତାଙ୍କର ସମସ୍ତ ଡୋକ୍ୟୁମେଣ୍ଟ ସଂଗ୍ରହ କରି ସେମାନଂକୁ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କୁ ନେଇ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଇବାର ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିୟମ ଅନୁଯାଇ ଶିଶୁମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଗଲା । ସେମାନଙ୍କୁ ଜଣଙ୍କ ପିଛା ପନ୍ଦର ସହ ଟଙ୍କା ମାସିକ ମିଳିବା ନେଇ ଡ଼ିସିପିଓ ସୂଚନା ଦେଇଥିଲେ । ବର୍ତମାନ ତିନି ଛୁଆଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିବା ବେଳେ ତାଙ୍କର ମା’ଙ୍କୁ ମଧ୍ୟ ଖୁବ ଶୀଘ୍ର ବିଧବା ଭତ୍ତା ମିଳିବ । ପ୍ରଥମ କିସ୍ତି ଟଙ୍କା ମିଳିବା ପରେ ସେମାନେ ଖୁସିଥିବା କହିଛନ୍ତି ଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।