oom

କାମ ହେବାର ଏକ ମାସ ମଧ୍ୟରେ ଦବିଲା ପୋଲ ଓ ରାସ୍ତାରୁ ଉଠିଲା ପିଚୁ : ସାଧାରଣରେ ଅସନ୍ତୋଷ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କାମ ହେବାର ଏକ ମାସ ମଧ୍ୟରେ ଦବିଲା ପୋଲ ଓ ରାସ୍ତାରୁ ଉଠିଲା ପିଚୁ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟେମରୀ ଗ୍ରାମରୁ ଟେମରୀ ହାଇସ୍କୁଲ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁର ଡିଭିଜନ ପକ୍ଷରୁ ଏକ ପୋଲ ଓ ରାସ୍ତା କାମ ପାଖାପାଖି ଏକ ମାସ ପୂର୍ବରୁ କରାଯାଇଥିଲା । ପ୍ରଥମେ ପୋଲ ନିର୍ମାଣ ସମୟରେ ଗ୍ରାମବାସୀମାନଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ କରାଯିବା ପରେ ବିଭାଗୀୟ ଏସଡିଓ ତାପସ କୁମାର ଲେଙ୍କା ଓ ଜେଇ ଲଡୁ କିଶୋର ବେହେରା କାମ ଚାଲିଥିବା ସ୍ଥାନକୁ ଆସି ଚାଲିଥିବା କାମର ତଦାରଖ କରିବା ସହ ଯାହା ଭୁଲ ହେଉଛି ତାକୁ ପୁଣି ଥରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାପରେ ମଧ୍ୟ ନିର୍ମାଣ କାର୍ଯ୍ୟରେ କିଛି ପରିବର୍ତ୍ତନ ଦେଖା ଯାଇନଥିଲା । ପୋଲର ଗୋଟିଏ ପଟରେ ସୁରକ୍ଷା କାନ୍ଥ ଦିଆଯାଇଥିବା ବେଳେ ଅନ୍ୟପଟେ ଦିଆଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ପୋଲ ନିର୍ମାଣ ପରେ ଆରମ୍ଭ ହୋଇଥିଲା ରାସ୍ତା ମରାମତି କାମ । ପୁରୁଣା ରାସ୍ତା ଉପରେ ପିଚୁ ଓ ସାମାନ୍ୟ ଚିପ୍ସ ପକାଇ ମରାମତି କାମ କରାଯାଇଥିଲା । ପ୍ରଥମ କଥା ହେଲା ଯେ ବିନା ସୂଚନା ଫଳକରେ ସରକାରୀ କାମ କିଭଳି କରାଗଲା । ଦ୍ୱିତୀୟ କଥା ହେଲା ଗ୍ରାମବାସୀ ଏହି ପୋଲ ଓ ରାସ୍ତା ମରାମତି କାମ ବିଷୟରେ ଦାୟିତ୍ୱରେ ଥିବା ଜେଇଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଲେ ନାହିଁ । ପାଖାପାଖି ଏକ ମାସ ହେବ କାମ ସରିଛି । ଏଥି ମଧ୍ୟରେ ପୋଲ କାମକୁ ଥରେ ମରାମତି କରାସରିଛି । କିନ୍ତୁ ଏବେ ପୋଲର ମଝି ଅଂଶ ତଳକୁ ଦବି ଦବି ଯାଉଛି । ଏହା ସହ ରାସ୍ତାର ଅନେକ ସ୍ଥାନରେ ରାସ୍ତା ତଳକୁ ଦବି ସାରିଥିବା ବେଳେ ଅନେକ ସ୍ଥାନରେ ପିଚୁ ଓ ଚିପ୍ସ ଉଠି ସାରିଲାଣି । ଆଗକୁ ଯଦି ଏହି ଅବସ୍ଥା ଜାରି ରହେ ତାହେଲେ ଗ୍ରାମବାସୀ ପଦ୍ମପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଠାରେ ଆନ୍ଦୋଳନ କରିବେ ଏବଂ ଏହି ଆନ୍ଦୋଳନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ହିଁ ଦାୟୀ ରହିବ ବୋଲି କହିଛନ୍ତି ଟେମରୀ ଗ୍ରାମବାସୀ ।

jittmm
Leave A Reply

Your email address will not be published.