ବଲାଙ୍ଗିର, (କେପିଏନ୍ଏସ୍) : ଜଣେ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ଗେଟସରୋବର ବନ୍ଧ ନିକଟରେ ପଡି ରହିଥିବାର ସୂଚନା ପାଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ପାଇ ସଂଗଠନର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଚରାଉଚରା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସେହି ବୃଦ୍ଧ ବ୍ୟକ୍ତିଙ୍କର ପରିଚୟ ମିଳି ପାରିଥିଲା । ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ତ୍ରିନାଥ ସୁନା । ବୟସ ପାଖାପାଖି ୫୦ ବର୍ଷ ହେବ । ବୃଦ୍ଧ ବ୍ୟକ୍ତି ଜଣକ କୌଣସି କାରଣରୁ ଅଚେତ ଅବସ୍ଥାରେ ଗେଟସରୋବର ବନ୍ଧ ନିକଟରେ ପଡି ରହିଥିଲେ । ସଂଗଠନର ସଦସ୍ୟମାନେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପରେ ବିଳମ୍ବରେ ହେଲେ ହେଁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେହି ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ସହ ମୁହଁରେ ଗଭୀର ଆଘାତ ଲାଗିଥିବା ହେତୁ ୮ଟି ଷ୍ଟିଚ ପଡିଥିଲା । ଆବଶ୍ୟକୀୟ ଚିକିତ୍ସା ଓ ବିଭିନ୍ନ ପରୀକ୍ଷା ସରିବା ପରେ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ବର୍ତ୍ତମାନ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛନ୍ତି ।
ପରେ ଚିକିତ୍ସିତ ହେଉଥିବା ବୃଦ୍ଧ ବ୍ୟକ୍ତିଙ୍କର ପରିବାରର ସନ୍ଧାନ ମିଳିବା ପରେ ପରିବାରବର୍ଗଙ୍କୁ ମଧ୍ୟ ସଂଗଠନ ତରଫରୁ ଖବର କରି ଦିଆଯାଇଛି । ଏହି ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବାରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଅଜୟ କୁମାର ନାଗ, ଏମ୍.ଡି.ବବଲୁ ଓ ତନ୍ମୟ ପୁଟେଲ ସହଯୋଗ କରିଥିଲେ ।
Prev Post