jayashree

ଆଶ୍ରମରେ ଥଇଥାନ ହେଲେ ଅସହାୟ ଚୁମକି

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାୟ ଦୁଇ ମାସ ହେଲା ପଡି ରହିଥିବା ଚୁମକିଙ୍କୁ ଆଜି ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି । ତାଙ୍କୁ ଭବାନୀପାଟଣା ୱାରିଆରର ସ୍ୱେଚ୍ଛାସେବୀମାନେ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ସହାୟତାରେ ନେଇ ଆଶ୍ରମର ମୁଖ୍ୟଙ୍କୁ ହସ୍ତାନ୍ତର କରିଥିଲେ । ସୂଚନା ଅନୁସାରେ, ଦୀର୍ଘ ଦୁଇ ମାସ ଧରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ବେଡ଼ ନମ୍ବର ୭୬ ମହିଳା ୱାର୍ଡରେ ରହି ଆସୁଥିଲେ । ସେ ପୂର୍ବରୁ ମାଣିକେଶ୍ୱରୀ ମନ୍ଦିର ପାଖରେ ରହି ଭିକ୍ଷା ମାଗୁଥିଲେ । ହେଲେ ଏକ ଅଜଣା ଗାଡି ଧକ୍କାରେ ଆହତ ହୋଇଥିଲେ । ପରେ ତାଙ୍କୁ ମୁଖ୍ୟ ଚିକିତ୍ସାୟଳୟ ଠାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଜଙ୍ଘର ହାଡ଼ ଭାଙ୍ଗି ଯାଇଥିଲା । ପ୍ଳାଷ୍ଟର ପରେ ସେ ସେହିଠାରେ ହିଁ ନିତିଦିନ ରହି ଆସୁଥିଲେ । ଏହା ଜାଣିବା ପରେ ଭବାନୀପାଟଣା ୱାରିଆରର ସ୍ୱେଚ୍ଛାସେବୀମାନେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଏଡିଏମଓଙ୍କ ସହ କଥା ହୋଇ ତାଙ୍କୁ ଧର୍ମଗଡ଼ ସ୍ଥିତ ଆଶ୍ରମରେ ଥଇଥାନ କରିବାପାଇଁ ସ୍ଥିର କରାଗଲା ।

ସେହିପରି ଜୁନାଗଡ଼ର ଏକ ବୃଦ୍ଧା ମହିଳା ମଧ୍ୟ ଏକ ଅଜଣା ଗାଡି ଧକ୍କାରେ ଆହତ ହୋଇଥିବା ଖବର କାଳିଆକୁଣ୍ଡଳ ସରପଞ୍ଚ ଭବାନୀପାଟଣା ୱାରିଆରକୁ ଜଣାଇଥିଲେ । ତାଙ୍କୁ ମଧ୍ୟ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି କରି ଗୋଡ଼ର ପ୍ଳାଷ୍ଟର ସରିଲା ପରେ ଧର୍ମଗଡ଼ ଆଶ୍ରମ ଠାରେ ଥଇଥାନ କରାଯାଇଛି । ଦୁଇଜଣଙ୍କୁ ଥଇଥାନ କରିବାରେ ଭବାନୀପାଟଣା ୱାରିଆରର ସ୍ୱେଚ୍ଛାସେବୀ ଭକ୍ତ ଗୌଡ଼ ପ୍ରମୁଖ ଭୂମିକା ତୁଲାଇ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ସଂଗଠନର ଦୁଇଜଣ ବରିଷ୍ଠ ବ୍ୟକ୍ତି ଯୁଗେସ ଅଗ୍ରୱାଲ, ସନ୍ତୋଷ ସାହୁ ମଧ୍ୟ ଦୁଇଜଣକୁ କିଛି ସହଯୋଗ କରିଥିଲେ । ସଂଗଠନର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା, ସୁଶାନ୍ତ ପଟ୍ଟନାୟକ, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀମାନଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.