ପାଟଣାଗଡ ପାର୍ସଲ ବୋମା ଘଟଣା : କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ପାଟଣାଗଡ ଏଡିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତ୍କାଳୀନ କ୍ରାଇମ୍ ବ୍ରାଞ୍ଚ ଆ.ଇଜି ଅରୁଣ ବୋଥ୍ରା । ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଇତି ମଧ୍ୟରେ ୬ ବର୍ଷ ହୋଇ ସାରିଛି । ମାମଲା ଏବେ ବି କୋର୍ଟରେ ବିଚାରାଧିନ ରହି ମାମଲାର ଶୁଣାଣି ଚାଲିଛି । ପାଟଣାଗଡ଼ ଏଡ଼ିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତ୍‌କଳୀନ କ୍ରାଇମ ବ୍ରାଞ୍ଚ ଆଇ.ଜି ଅରୁଣ ବୋଥ୍ରା । ୬୦ ନମ୍ବର ସାକ୍ଷୀ ଭାବରେ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି । କୋର୍ଟରେ ତାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଓକିଲ ଉପସ୍ଥିତ ଥିଲେ । ଏହି ହାଇ ପ୍ରୋଫାଇଲ୍‌ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା । ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍ ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଛି । କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଓକିଲ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୧୮ ମସିହାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣା ଘଟିଥିଲା । ପାଟଣାଗଡ଼ ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ସାହୁ (୨୬)ଙ୍କ ମୃତ୍ୟୁ ଘଟିଥିଲା । ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ (୨୨) ଗୁରୁତର ଆହତ ହୋଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ।

Leave A Reply

Your email address will not be published.