
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍.ଏ.ସି.ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମଣ ରବିବାର ପରିସମାପ୍ତି ଘଟିଛି । ଶେଷ ଦିବସରେ ୧୩ ନମ୍ୱର ଦେବୀନଗର, ରାମନଗର ଓ ୧୪ ନମ୍ୱର ୱାର୍ଡର ହରିଜନ ସାହି, କୋର୍ଟ ଷ୍ଟେସନ, ଶାନ୍ତିନଗର ପରିଭ୍ରମଣ କରିଥିଲା । ଛତ୍ରପୁର ସହରରେ ଏହି ରଥ ପରିକ୍ରମଣ ବେଳେ ଲୋକମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ଭକ୍ତି-ଭାବାବେଗ ସାଂଗକୁ ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗୃତି ସୃଷ୍ଟି ହୋଇଥିବା ଦେଖା ଦେଇଥିଲା । ଛତ୍ରପୁର ଏନ୍.ଏ.ସି.ର ୮,୧୦,୧୧,୧୨,୧୩, ଓ ୧୪ ନମ୍ୱର ୱାର୍ଡ଼ରେ ଅର୍ପଣ ରଥ ପରିକ୍ରମଣ ବେଳେ ଭକ୍ତଙ୍କ ମନରେ ବିପୁଳ ଉତ୍ସାହ ଥିଲା । ଶ୍ରଦ୍ଧାଳୁଙ୍କଠାରୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରାଯାଇ ଶ୍ରୀ ମନ୍ଦିରକୁ ପ୍ରେରଣ କରାଯିବ । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ରଥ ପରିକ୍ରମା ପୂର୍ବକ ପ୍ରତି ସାହି, ବସ୍ତିରୁ ଭକ୍ତିଭରା ଭାବପୂର୍ଣ୍ଣରେ ଭକ୍ତଗଣ ଚାଉଳ ଏବଂ ଗୁଆ ପ୍ରଦାନ କରୁଛନ୍ତି । ସମସ୍ତ ଅଞ୍ଚଳରେ ରଥ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇ ଘଣ୍ଟ, ମୃଦଙ୍ଗ, ଢ଼ୋଲ, ଶଙ୍ଖ, ମହୁରୀ, ସଂକୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନାନା ବାଦ୍ୟଧ୍ୱନି ମାଧ୍ୟମରେ ଜୟ ଜଗନ୍ନାଥ ସ୍ଵରରେ ଜୟଗାନ ଓ ହୁଳହୁଳି ପ୍ରତି ସାହି, ଛକ, ବଜାର ପରିକ୍ରମା କରୁଛି । ଭକ୍ତଗଣ ନିଜ ନିଜ ଗାଁ ଦାଣ୍ଡମାନଙ୍କରେ ନାନା ପ୍ରକାର ଝୋଟି, ରଙ୍ଗବେରଙ୍ଗର ରଙ୍ଗୋଲୀ, କୁମ୍ଭ ସ୍ଥାପନ କରି ଘଣ୍ଟ ତାଳ ବାଦ୍ୟରେ ରଥକୁ ସ୍ୱାଗତ କରୁଥିବା ଦେଖାଯାଉଛି । ଛତ୍ରପୁରରେ ଅର୍ପଣ ରଥ ପରିକ୍ରମଣ ବେଳେ ସ୍ୱାଗତ ସମ୍ବର୍ଦ୍ଧନା ଖୁବ ନିଆରା ଧର୍ମୀ ତଥା ଆକର୍ଷଣୀୟ ଥିଲା ।