ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲାର ଐତିହ୍ୟ, ପରମ୍ପରା, କଳା ସଂସ୍କୃତିକୁ ଉଜ୍ଜିପିତ କରୁଥିବା ମାରାଗୁଡା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଦରମହକୁମା ସ୍ଥିତ ନେସନାଲ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାହିତ୍ୟ ସଭାରେ ନୂଆପଡା ଜିଲ୍ଲାର ସୁସାହିତ୍ୟିକା ଦୀପିକା ହୋତାଙ୍କ ଶିଶୁ କବିତା ସଙ୍କଳନ “ଅର୍ପଣ” ନିମନ୍ତ୍ରିତ ଅତିଥି ବିଶିଷ୍ଟ ଔପନ୍ୟାସିକ ବାସୁଦେବ ସୁନାନୀ, ମୁଖ୍ୟ ଅତିଥି ପ୍ରଫେସର କାଳିଦାସ ମିଶ୍ର, ଓଡିଆ ସାହିତ୍ୟ ଏକାଡେମୀର ଉପ ସଚିବ ସଂଜୟ ଚୁଆଲ ସିଂଙ୍କ କରକମଳରୁ ଲୋକାର୍ପିତ ହୋଇଥିଲା । ଆଧୁନିକ ଯୁଗରେ ଓଡିଆ ସାହିତ୍ୟ ଜଗତ ପ୍ରତି ଶିଶୁଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓ ସାହିତ୍ୟ ସୃଜନଶୀଳତାର ବିକାଶ ପାଇଁ ଅର୍ପଣ ପୁସ୍ତକରେ ବଛାବଛା କିଛି ଉପାଦେୟ ଶିଶୁ କବିତା ସ୍ଥାନ ପାଇଛି । ଆଞ୍ଚଳିକ ପରମ୍ପରା, ସାମାଜିକ ଶିକ୍ଷା, ନୈତିକ ମୂଲ୍ୟବୋଧ, ସ୍ନେହ, ମମତା, ସଂସ୍କାର ଆଦିକୁ ଏହି ପୁସ୍ତକରେ ସନ୍ନିବେଶିତ କରାଯିବା ସହ ଶିଶୁ ସାହିତ୍ୟର ବିକାଶ ପାଇଁ ଏହି ପୁସ୍ତକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ସାହିତ୍ୟିକ ମହଲରେ ଚର୍ଚ୍ଚା ହେଉଛି ।