ମାହାଙ୍ଗା : ରାସ୍ତାରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ । ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ସାଲେପୁର ଛତିଆ ରାସ୍ତାର ବନଗୁରିଆଠାରେ । ଦାବି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଶନିବାର ରାତିରେ ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ବନଗୁରିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ସାଇକେଲରେ ଆସୁଥିବା ସମୟରେ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା । ଧକ୍କା ଦେଇଥିବା ବ୍ୟକ୍ତି ହେଉଛନ୍ତି କୋଠପଦା ଅଞ୍ଚଳର ମନ୍ମଥ ବିହାରୀ । ଅଭିଯୋଗ ହୋଇଛି ମନ୍ମଥ ମଦ୍ୟପାନ କରି ବାଇକ୍ ଚଳାଉଥିଲେ । ଆଉ ଏହି ଦୁର୍ଘଟଣା ଘଟାଇଥିଲେ । ତେବେ ଦୁର୍ଘଟଣା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ରବିବାର ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।