ଆର୍ଯ୍ୟ ସମାଜ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସେପ୍ଟେମ୍ବର ୨ ତାରିଖ ୨୦୨୩ ଶନିବାର ଅପରାହ୍ନ ୫ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆୟୁଧ ନିର୍ମାଣୀ କ୍ଷେତ୍ର ବଡ଼ମାଳ ମାଉସୀ ମା’ ମନ୍ଦିର ସଭାଗୃହରେ ବଡ଼ମାଳ ଆର୍ଯ୍ୟ ସମାଜରେ ୧୧ କୁଣ୍ଡୀୟ ବୈଦିକ ମହାଯଜ୍ଞ, ହବନ, ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକାରୀ ଜ୍ୟୋତିପ୍ରକାଶ ରଥଙ୍କ ସଂଯୋଜନାରେ ଉପସ୍ଥିତ ସମସ୍ତ ବିଦ୍ୱାନ ତଥା ଆର୍ଯ୍ୟଜନ, ସେଠାରେ କାର୍ଯ୍ୟରତ ୧୧ଯୋଡା ଦମ୍ପତି, ଅଧିକାରୀ ଅଧିକାରୀଣୀ, ତଥା ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ଉପମନ୍ତ୍ରୀ ରାଜ୍ କୁମାର ବରାଡଙ୍କ ସହଭାଗିତାରେ ଏକ ଭବ୍ୟ ସମାରୋହରେ ପଣ୍ଡିତ ଲକ୍ଷ୍ମଣ ଶାସ୍ତ୍ରୀଙ୍କ ଆଚାର୍ଯ୍ୟତ୍ବରେ ଗୋଳାବାରୁଦ କାରଖାନାର ବରେଣ୍ୟ ଏ ଜି ଏମ୍ ପି.ଏଲ.ଭି ଶେଖର୍‌ଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ଏହା ପରେ ଏକାଦଶ କୁଣ୍ଡୀୟ ବୈଦିକ ମହାଯଜ୍ଞକୁ ସୁଚାରୁରୁପେ ସଂପାଦନ ପାଇଁ ସଂଚାଳକ ଜେ କେ ରଥ, କେ ଉମେଶରାଓ ପାତ୍ର, ନିର୍ମଳ ବିଶ୍ଵାଳ, ପ୍ରତାପ ବେହେରା, ଦୁଷ୍ମନ୍ତ ସାହୁ, ଖଳିଆ ସେଠୀ, ହୃଷିକେଶ ମାଝୀ ତଥା ଆର୍ଯ୍ୟ ବିଦୁଷୀ ଓ ସକ୍ରିୟ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ଏହାପରେ କଣ୍ଠ ଶିଳ୍ପୀ ଜ୍ୟୋତିପ୍ରକାଶ ରଥ ଏବଂ କେ ପାତ୍ରଙ୍କ ଦ୍ଵାରା ବୈଦିକ ଭଜନ ପରିବେଷଣ କରାଯାଇଥିଲା । ତା’ପରେ ପ୍ରବଚନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟବକ୍ତା ବୈଦିକ ପ୍ରବଚକ ବୈଦିକ ସିଦ୍ଧାନ୍ତକୁ ଆଧାର କରି ବେଦ, ଉପନିଷଦ, ଦର୍ଶନ, ଭାଗବତ, ରାମାୟଣ ଓ ମହାଭାରତରୁ ଉଧୃତ ବିଭିନ୍ନ ମନ୍ତ୍ର ଉପଦେଶ ଛଳରେ ଏକ ସାରଗର୍ଭକ ପ୍ରବଚନ ଦ୍ବାରା ସମସ୍ତେ ମନ୍ତ୍ରମୁଗ୍ଧ ହୋଇଥିଲେ । ଏହାପରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ତରଫରୁ ଅତିଥି ରାଜ୍ କୁମାର ବରାଡ ଉପସ୍ଥିତ ସମସ୍ତ ଆର୍ଯ୍ୟଜନଙ୍କୁ ପୂଜ୍ୟ ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ବୈଦିକ ସିଦ୍ଧାନ୍ତକୁ ଅନୁସରଣ ପୂର୍ବକ ବୈଦିକ ଧର୍ମରେ ବଡ଼ମାଳ ଆର୍ଯ୍ୟସମାଜକୁ ସାମିଲ କରିଥିବାରୁ ସମସ୍ତ ଆର୍ଯ୍ୟଜନଙ୍କୁ ଅଭିନନ୍ଦନ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଂଯୋଜକ ଶ୍ରୀ ରଥ କୃତଜ୍ଞତା ଜ୍ଞାପନ କରିବା ସଂଗେ ସଂଗେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.

error: Content is protected !!