ମନେ ରହିବେ ଅରିନ୍ଦମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ । କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ । କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ଗତକାଲି ଅରିନ୍ଦମ ବୋଟ୍‌ରେ ମହାନଦୀ ଭିତରକୁ ଯାଇଥିଲେ । ମାତ୍ର ପ୍ରଖର ସ୍ରୋତରେ ବୋଟ୍‌ଟି ଓଲଟି ପଡ଼ିବାରୁ ନଦୀରେ ଭାସି ଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ଅଣାଯାଇଥିବା ବେଳେ ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁନାହାନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଏ ନେଇ ବହୁ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ପଦ୍ମପୁର ଭେଉଁରିଆ ଛକ ଠାରେ ପଦ୍ମପୁର ସମ୍ବାଦିକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପଦ୍ମପୁରର ବହୁ ସମାଜିକ କର୍ମୀ, ଅଧିକାରୀ, ବୁଦ୍ଧିଜୀବୀଙ୍କ ସହ ବହୁ ଜନସାଧାରଣ ଜମା ହୋଇ ଦୁଃସାହସିକ ସମ୍ବାଦିକତାର ଉଦାହରଣ ବୋଲି ଅରିନ୍ଦମଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.