- ପ୍ରଥମ ପାଳିରେ ଦେବୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ।
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵବନ୍ଦନୀୟା ମା’ ତାରାତାରିଣୀଙ୍କ ଚୈତ୍ରପର୍ବ-ମେଳା ଆରମ୍ଭ ହୋଇଛି । ପ୍ରଥମ ପାଳିରେ ଦେବୀ ମହାକାଳୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଭକ୍ତଜନ ଦେବୀଙ୍କ ଲୋଭନୀୟ ଲୌକିକ ପରମ୍ପରାର ଶକ୍ତି-ସ୍ୱରୁପିଣୀଙ୍କୁ ଦର୍ଶନ କରି ଆତ୍ମ ବିଭୋର ହୋଇପଡିଛନ୍ତି । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା’ତାରାତାରିଣୀଙ୍କ ଚୈତ୍ରପର୍ବ-ମେଳାରେ ସମଗ୍ର ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପ୍ରାୟତଃ ୩୦ ହଜାର ଶ୍ରଦ୍ଧାଳୁ ଭକ୍ତ ମା’ଙ୍କ ଶୃଙ୍ଖଳିତ ଦର୍ଶନ କରି ପୂଣ୍ୟ ଲାଭ କରିଛନ୍ତି । ପର୍ବତ ଶୀର୍ଷ ପରିସର, ସିଂହଦ୍ୱାର ସମ୍ମୁଖରେ ତଳେ ବିବିଧ ବ୍ୟବସ୍ଥା ସାଂଗକୁ ଦେବୀଙ୍କୁ ସ୍ଵର୍ଣ୍ଣ, ଅଳଙ୍କାର, ବେଶଭୂଷା, ପୁଷ୍ପ ସମୂହରେ ସାଜସଜା ଏବଂ ମନ୍ଦିର ଶୀର୍ଷ ଠାରୁ ଗୁମୁଟ, ଦ୍ଵାରଦେଶ ପର୍ଯ୍ୟନ୍ତ ଚିତ୍ତାକର୍ଷକ ଭାବେ ବିଭିନ୍ନ ପୁଷ୍ପାଳୟରେ ସୁସଜ୍ଜିତ ହୋଇଥିବା ନିଆର ଦୃଶ୍ୟ ଅତ୍ୟନ୍ତ ମନୋରମ ଏବଂ ଭକ୍ତିମୟ ପରିବେଶରେ ଆହ୍ଲାଦିତ କରିଦେଇଛି । ଶୁଭ ମଙ୍ଗଳବାର ପ୍ରତ୍ୟୁଷରୁ ଗହଳି ଆରମ୍ଭ ହୋଇଥିବା ବେଳେ ଆଦିଶକ୍ତି ମାତାଙ୍କ ସନ୍ଧ୍ୟା ଆଳତୀ ଦର୍ଶନ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ଜଣାଯାଇଛି । ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୋଇନଥିବା ହେତୁ ଦର୍ଶନରେ ଭକ୍ତଜନଙ୍କ କୌଣସି ସ୍ଵାସ୍ଥ୍ୟ ହାନି ଅବା କ୍ଷତି ଘଟିନାହିଁ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦେବୀଙ୍କ ଶୃଙ୍ଖଳିତ ଦର୍ଶନରେ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି । ଅନେକ ଶ୍ରଦ୍ଧାଳୁ ଦେବୀଙ୍କ ଠାରେ ମନାସୀ ଥାଆନ୍ତି, ମାନସିକ ପୂରଣ ହେବା ପରେ ମଧ୍ୟ ଠାକୁରାଣୀଙ୍କ ସନ୍ତୋଷ ପ୍ରକାଶ ନିମନ୍ତେ ଏବଂ ମା’ଙ୍କ ଠାରେ ପୂଣ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଦେବୀଙ୍କ ଆସ୍ଥାନ ଜମେଇଥିବା ପାହାଡ଼ ଶୀର୍ଷ ସ୍ଥାନକୁ ଯିବା ନିମନ୍ତେ ନଅ ଶହ ଅନେଶତ ପାହଚ ଅତିକ୍ରମ କରି ମହିମାମଣ୍ଡିତ ଦେବୀ ବିଶ୍ଵବନ୍ଦନୀୟା ମା’ ତାରାତାରିଣୀଙ୍କ ଦର୍ଶନ ଲାଭ କରି ସନ୍ତୋଷ ବ୍ୟକ୍ତ କରିବା ଏଠାକାର ଲୋକଙ୍କ ଭକ୍ତି ଓ ନିଆରା ପରମ୍ପରାର ବିଶ୍ୱାସ ରହିଛି ବୋଲି କୁହାଯାଏ । ବିନ୍ଧ୍ୟବାସିନୀ ଦେବୀ ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ପର୍ବତ ଆରୋହଣ ନିମନ୍ତେ ବହୁଳ ପରିମାଣରେ ବସ ସେବା ବ୍ୟବସ୍ଥିତ ରହିଛି । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଅନେକ ଗୁଡ଼ିଏ ବ୍ୟବସ୍ଥାପନା ଯଥା – ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଟ୍ରାଫିକ ଓ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ପୋଲିସ ମୁତୟନ ସାମିୟାନ୍, ଚାନ୍ଦୁଆ, ବିଭିନ୍ନ ଷ୍ଟଲ୍ ଆଦି ମୌଳିକ ସୁବିଧା ସୁଯୋଗ ବନ୍ଦୋବସ୍ତ କରାଯାଇଛି ।