ରାମଚଣ୍ଡୀ ମନ୍ଦିରରେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପ୍ରାସାଦ ଏବଂ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଯାଇଛି । ମନ୍ଦିର କମିଟି, ସେବକ, ଭକ୍ତଙ୍କ ଉଦ୍ୟମରେ ଦୀର୍ଘ ଦିନର ଅହରହ ସଂଗ୍ରାମ ପରେ ନିର୍ଦ୍ଧାରଣ ହୋଇଥିବା ଯଜ୍ଞାନୁଷ୍ଠାନ ମହୋତ୍ସବ ମଙ୍ଗଳବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଜିଲ୍ଲା ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ଅର୍ଥାତ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷ ସ୍ଥାନରେ ମା’ ରାମଚଣ୍ଡୀଙ୍କ ପୀଠ ବିଦ୍ୟମାନ । ମଙ୍ଗଳବାର ପୂର୍ବାହ୍ନରୁ ରାମଚଣ୍ଡୀଙ୍କ ପୀଠରେ ଗହଳ ଚହଳ ଆରମ୍ଭ ହୋଇଯାଇଛି । ଏହି ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞାନୁଷ୍ଠାନ କର୍ମାରମ୍ଭ ହୋଇଯାଇଛି । ପୂଣ୍ୟତ୍ତୋୟା ଋଷିକୂଲ୍ୟା ତଟରେ ଅବସ୍ଥାନ କରିଥିବା ମା’ଙ୍କର ମନ୍ଦିର ପ୍ରତିଷ୍ଠା ଯଜ୍ଞାନୁଷ୍ଠାନ ମହୋତ୍ସବ ଲାଗି ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ସଧବା ମହିଳାମାନଙ୍କ ଦ୍ଵାରା ୧ ହଜାର କଳସରେ ଜଳଯାତ୍ରା ଅନୁଷ୍ଠିତ ହୋଇ ଜଳ ଲାଗି ହୋଇଛି । ପରେ ଦୀକ୍ଷାଗ୍ରହଣ, ମଣ୍ଡଳକରଣ, ରାତ୍ରୀକାଳୀନ ୭ ଘଣ୍ଟା ୩୦ମିନିଟ୍‌ରେ ଅଙ୍କୁରାରୋପଣ ସମାହିତ ହୋଇଯାଇଛି । ପାହାଡ଼ ତଳ ଠାରୁ ଶୀର୍ଷ ସ୍ଥାନ ଯାଏଁ ସୁନ୍ଦର ଆଲୋକିକରଣ, ସାଜସଜ୍ଜା ହୋଇଛି । ବୁଧବାର ପ୍ରାତଃକାଳରୁ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଚତୁଃବେଦ ନୀତିକାନ୍ତି ସହ ପ୍ରଚଳନ ହେଉଅଛି । ଦେବୀଙ୍କ ଠାରେ ଯଜ୍ଞାନୁଷ୍ଠାନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିବିଧ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.

error: Content is protected !!