ଫସଲ ବୀମା ଯୋଜନାରେ ଜାଲିଆତି ପ୍ରସଙ୍ଗ, ନକଲି ଚାଷୀଙ୍କୁ ଧରିବା ପାଇଁ ତଦନ୍ତ ଦାବୀ କଲା ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଏହାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଦାବୀ କରିଛି ଆମ୍ ଆଦମୀ ପାର୍ଟି । ଚଳିତ ଖରିଫ ଋତୁରେ ପଦ୍ମପୁର ଉପଖଣ୍ଡ ଗାଇସିଲଟ, ପଦ୍ମପୁର, ପାଇକମାଲ, ବିଜେପୁର, ଝାରବନ୍ଦ ବ୍ଲକରେ ଏପରି ହେରଫେର ହେଉଥିବା ଜଣାପଡିଛି । ଅଣ ଋଣୀ ଚାଷୀ ମାନେ ଅନଲାଇନ୍‌ରେ ବୀମା ପ୍ରିମିୟମ ଭରିବା ପାଇଁ ଗଲେ ତାଙ୍କ ଜମିରେ ଅନ୍ୟ କେହି ଅଜଣା ବ୍ୟକ୍ତି ପୂର୍ବରୁ ଇନ୍ସୁରାନ୍ସ ଭରିଥିବା ଜଣାପଡୁଛି । ଏହାକୁ ନେଇ ଜିଲ୍ଲାପାଳ ଓ କୃଷି ଉପନିର୍ଦେଶକଙ୍କୁ ଚାଷୀ ମାନେ ଅଭିଯୋଗ ବି କରିଛନ୍ତି । କିନ୍ତୁ ଏହାର କୌଣସି ସୁଫଳ ମିଳୁନାହିଁ । ଏହି ଫସଲ ବୀମା ଯୋଜନରେ ସେଭଳି କିଛି ପ୍ରାବଧାନ ନଥିବାରୁ ପ୍ରକୃତ ଚାଷୀ ଏହାର ଲାଭ ପାଇବାରୁ ବଂଚିତ ହେବେ । ତେଣୁ ଏହାର ଏକ ତଦନ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ହେଲେ ନକଲି ଚାଷୀ ସବୁ ଧରାପଡିବେ ଓ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଗଲେ ପ୍ରକୃତ ଚାଷୀ ବୀମା ସହାୟତା ପାଇପାରିବେ ବୋଲି ଆପ୍ ଜିଲ୍ଳା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି ।

Leave A Reply

Your email address will not be published.