କଟକ : ନିଶ୍ଚିନ୍ତକୋଇଲି ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ୍ ଲିପୁ(୩୨)ଙ୍କୁ ଗତକାଲି ରାତିରେ କଟକ ଗ୍ରାମାଞ୍ଚଳ ପୁଲିସ ଏନ୍କାଉଣ୍ଟର୍ କରିଛି । ଲିପୁଙ୍କ ବାମଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି । ତେବେ ଏନ୍କାଉଣ୍ଟର୍ ସମୟରେ ଲିପୁର ସହଯୋଗୀ ଖସି ପଳାଇ ଯିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ମିହିର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମର ଦୁର୍ଦ୍ଦାନ୍ତ ଲିପୁର ଆପରାଧିକ ସାମ୍ରାଜ୍ୟ ବାଲେଶ୍ଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ପାଖାପାଖି ୪୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । କେବଳ ସେତିକି ନୁହେଁ ତା ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୬୬ରୁ ଅଧିକ ମାମଲା ରହିଛି ବୋଲି ପୁଲିସର ଅନୁସନ୍ଧାନରୁ ଜଣାପଡ଼ିଛି । ଗତମାସ ମାହାଙ୍ଗାରେ ସିରିଜ୍ ଡକାୟତି ଘଟଣାରେ ଲିପୁ ଓ ତା ଗ୍ୟାଙ୍ଗର ସମ୍ପୃକ୍ତି ଥିଲା । ପୁଲିସ ଏହି ଘଟଣାରେ ପୂର୍ବରୁ ତାର ସହଯୋଗୀଙ୍କୁ ଗିରଫ କରିସାରିଛି ବୋଲି ଏସ୍ପି କହିଛନ୍ତି ।
Next Post