ଅପରାଧ ଉପରେ ଏବେ ବଲାଙ୍ଗିର ପୋଲିସର କଡା ନଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛିଦିନ ହେଲା ଏକ୍ସନ ମୋଡରେ ରହିଛି ବଲାଙ୍ଗିର ପୋଲିସ । ଅପରାଧ ଉପରେ ଏବେ ବଲାଙ୍ଗିର ପୋଲିସର କଡା ନଜର ସହରରେ ଅପରାଧ ବଢି ବଢି ଯିବା ପରେ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ପୁଲିସ ଏକ୍ସନ ମୋଡ ଆପଣାଇ ଥିଲା । ତାୱଡ୍‌ତୋଡ୍‌ ଧର୍‌ପଗଡ୍‌ରେ ଅପରାଧୀମାନେ ପୁଲିସ ପନ୍‌ଝାରେ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ଅପରାଧୀଙ୍କ ଷଡଯନ୍ତ୍ର ପ୍ରସ୍ତୁତି ପାଇଁ ରହିଥିବା ଆଡ୍ଡାଗୁଡିକୁ ଚିହ୍ନଟ କରି ଜେସିବି ଲଗାଇ ପୁଲିସ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଖୋଦ୍‌ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କ କଡା ନିର୍ଦ୍ଦେଶରେ ଅପରାଧୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପନ୍ଥା ଅବଲମ୍ବନ କରାଯାଇଥିବା ସୂଚନା ରହିଛି । ନିକଟରେ ଅପରାଧୀମାନେ ଖୋଲମଖୋଲା ଅପରାଧ କରି ପୋଲିସକୁ ଏକ ପ୍ରକାରର ଚ୍ୟାଲେଞ୍ଜ କରିଥିଲେ । ଏପରିକି ଜଣେ ଅପରାଧୀ ଜଣେ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ସେଲ୍‌ଫି ନେଇଥିବା ଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହା ପରେ ପରେ ତାତିଲା ବଲାଙ୍ଗିର ପୁଲିସ । ଅପରାଧ ଜଗତରେ କଳାକନା ବୁଲାଇ ଦେବାକୁ ଆରମ୍ଭ କଲା ପଦକ୍ଷେପ । ଅପରାଧୀଙ୍କୁ ଖୋଜି ଖୋଜି ଧରିବା ସହ ସେମାନଙ୍କ ଆଡ୍ଡାସ୍ଥଳୀକୁ ଭାଙ୍ଗିଦେଲା । ଆହୁରି ବି ଅନେକ ପଦକ୍ଷେପ ଗ୍ରହଣ କରାଯିବା ବାକି ରହିଥିବା କୁହାଯାଇଛି । ଏହି କ୍ରମରେ ବେଆଇନ ଦେଶୀ ବିଦେଶୀ ମଦ କାରବାର ସହ ନିଶା ବେପାର ଓ ସଟ୍ଟା ଖେଳ ଉପରେ ବି କଡା ନଜର ରଖିଛି ବଲାଙ୍ଗିର ପୋଲିସ ।

Leave A Reply

Your email address will not be published.