ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଗଞ୍ଜାମ ଜିଲ୍ଲାଗସ୍ତ

  • ଅନୁସୂଚିତ ଜନଜାତିଙ୍କ ସକାଶେ ସାମ୍ବିଧାନିକ ସୁରକ୍ଷା, କଲ୍ୟାଣ ଏବଂ ବିକାଶ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସକାଶେ ସାମ୍ବିଧାନିକ ସୁରକ୍ଷା, କଲ୍ୟାଣ ଓ ବିକାଶ ଦିଗରେ କରାଯାଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କିଭଳି ଚାଲିଛି ସେଥି ଘେନି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଜାତୋଠୁ ହୁସେନଙ୍କ ଦ୍ୱରା ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଜଣାଇ ଜିଲ୍ଲାରେ କାର୍ଯ୍ୟକାରି ହୋଉଥିବା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ଅନୁସୂଚିତ ଜନଜାତି ଆୟୋଗଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ରହିଥିବା ଅନୁସୂଚିତ ଜନଜାତିର ମଙ୍ଗଳ ସକାଶେ ସେମାନଙ୍କର ଜଳ ଯୋଗାଣ ବ୍ୟବସ୍ଥା, ସେମାନଙ୍କ ଅଞ୍ଚଳକୁ ସୁଗମ ରାସ୍ତା, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସମସ୍ତ ଦିଗର ସଠିକ କାର୍ଯ୍ୟକାରିତା ହେଲେ ସେମାନଙ୍କର ଉନ୍ନତି ହେବ । ଏଥିପ୍ରତି ଦୃଷ୍ଟି ଦେବାକୁ ଆୟୋଗଙ୍କୁ ଅବଗତ କରାଇଥିଲେ । ଅନୁସୂଚିତ ଜନଜାତି ଆୟୋଗ ଜାତୋଠୁ ହୁସେନ୍ ନିଜ ବକ୍ତବ୍ୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ଯେ, ଅନୁସୂଚିତ ଜନଜାତି ପରିବାର ଅତି ସରଳ ସ୍ୱଭାବ, ସେମାନଙ୍କ ସମସ୍ୟା ଗୁଡିକର ସମାଧାନ ଦିଗରେ ସେମାନେ ସ୍ୱର ଉତ୍ତୋଳନ କରିବାକୁ ଅକ୍ଷମତା ପ୍ରକାଶ କରିଥାଆନ୍ତି । ଗ୍ରାମାଞ୍ଚଳର ତଳ ସ୍ତରରେ ଯାହା ସମସ୍ୟା ରହିଛି ତାହା ଜିଲ୍ଲାସ୍ତରରେ କିମ୍ବା ସହର ଗୁଡିକରେ ନଥାଏ । ଏଣୁ ଅନୁସୂଚିତ ଜନଜାତି ବସବାସ କରୁଥିବା ଅଞ୍ଚଳକୁ ଗତିକରି ସେମାନଙ୍କର ସମସ୍ତ ସୁବିଧା ପ୍ରତି ଦୃଷ୍ଟି ଦେବା ଜରୁରୀ । ସେମାନଙ୍କ ବିକାଶ କ୍ଷେତ୍ରରେ ସରକାର ଅନେକ ଯୋଜନା ମାନ ପ୍ରଣୟନ କରନ୍ତି । ସେଗୁଡିକର ସମାଧାନ ଦିଗରେ ପ୍ରଶାସନିକ ଅଧିକାରୀଗଣ ଗୁରୁତ୍ୱ ଦେଇ ସେମାନେ ପ୍ରକାଶ କରୁଥିବା କଥାକୁ ହୃଦୟଙ୍ଗମ କରି ତାର କାର୍ଯ୍ୟକାରିତା କରିପାରିଲେ ସେମାନେ ଉପକୃତ ହେବେ ଏବଂ ଚିରକାଳ ସଂପୃକ୍ତ ଅଧିକାରୀଙ୍କୁ ମନେ ରଖିବେ । ଓଡିଶାରେ ଅନେକ ଖଣିଜାତ ଦ୍ରବ୍ୟ ରହିଛି । ସେହି ଅଞ୍ଚଳରେ ଜନଜାତି ପରିବାର ବସବାସ କରନ୍ତି । ଖଣିଜ ଦ୍ରବ୍ୟରୁ ଓଡିଶା ବିକଶିତ ହେବ ତା ସାଥେସାଥେ ଜନଜାତିମାନଙ୍କର କଲ୍ୟାଣ ନିମିତ୍ତ ସେମାନଙ୍କ ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ମତ ରଖିଥିଲେ । ବୈଠକରେ ଜିଲ୍ଲା ମଙ୍ଗଳ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗ, ମହିଳା ଓ ଶିଶୁ ଉନ୍ନୟନ ବିଭାଗ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଦାନ କରାଯାଉଥିବା ବିଭିନ୍ନ ଋଣ ବ୍ୟବସ୍ଥା ସମେତ ଅନେକ ବିଭାଗର ସମୀକ୍ଷା କରିଥିଲେ । ଜିଲ୍ଲାରେ କାର୍ଯ୍ୟ କରୁଥିବା ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ଗୁଡିକର ସୁବିଧା, ଛାତ୍ରାବାସ, ସହରାଞ୍ଚଳ ଶିକ୍ଷା ବ୍ୟବସ୍ଥାରେ ଅନ୍ୱେଷା ଯୋଜନା, ପ୍ରଦାନ ହେଉଥିବା ସ୍କଲାରସିପ୍, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଇତ୍ୟାଦି ସମ୍ପର୍କିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । ସମୀକ୍ଷା ବୈଠକର ପରିଚାଳନା କରିବା ସହିତ ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଡଃ. ପ୍ରମୋଦ କୁମାର ପୃଷ୍ଟି , ଆୟୋଗ ଏବଂ ସେମାନଙ୍କ ଟିମ ସମେତ ସମସ୍ତ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ. ସାର୍ଥକ ଷଡଙ୍ଗୀ, ଡି.ଏଫ.ଓ ବ୍ରହ୍ମପୁର ସୁନୀଲ ସନି ଖୋଖର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ସମସ୍ତ ଉପ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁରେଶ ଚନ୍ଦ୍ର ଜିତ ବାବୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.