ବ୍ଲକସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପରିସ୍ଫୁଟନ କରିବା ଲକ୍ଷ୍ୟନେଇ ସ୍କୁଲ ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାରଙ୍କ ପ୍ରାୟୋଜିତ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବିକଶିତ ଭାରତ ୨୦୪୭ କୁ ଆଖି ଆଗରେ ରଖି ଜାନୁଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ବ୍ଲକସ୍ତରୀୟ ପ୍ରେରଣା ଉତ୍ସବ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଅଞ୍ଚଳ ମହାବିଦ୍ୟାଳୟର ସଂସ୍କୃତ ପ୍ରଧ୍ୟାପକ ପ୍ରଭାତ କୁମାର ମହାପାତ୍ର ମୁଖ୍ୟଅତିଥି, ଅର୍ଥନୀତି ଅଧ୍ୟାପିକା ଡ. ସୁଶ୍ରୀ ମମତାମୟୀ ଗୁରୁ, ରାଜେଶ ଖମାରୀ ଓ ପ୍ରମୋଦ ନାଥ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରଥମେ ମୁଖ୍ୟଅତିଥିଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ସ୍କୁଲ ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସମସ୍ତ ଅତିଥି ପ୍ରେରଣା ଉତ୍ସବର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ମାନସ ରଞ୍ଜନ ଶତପଥୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ । ଏହି ଉତ୍ସବରେ ମୋଟ ଛଅଟି ବିଭାଗ ଯଥାକ୍ରମେ କବିତାରଚନା, ଗଳ୍ପଲିଖନ, ପ୍ରବନ୍ଧ, କଣ୍ଠସଙ୍ଗୀତ, ଚିତ୍ରାଙ୍କନ ଓ ହସକୌତୁକ ପ୍ରତିଯୋଗୀତାରେ ବ୍ଲକର ମୋଟ ୬୦ ଜଣ ଛାତ୍ରଛାତ୍ରୀ ଭାଗନେଇ ଥିଲେ । ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗୀମାନେ ହେଲେ ସ୍ମିତାଶ୍ରୀୟା ମେହେର, ଶକ୍ତିସ୍ୱରୂପା ପଣ୍ଡା, ସାହିଲ୍ୟା ସମ୍ଭାବୀ ପଟ୍ଟନାୟକ, ହିତେଶ୍ୱରି ପଧାନ, ଅଲିଭା ବାରିକ, ପ୍ରତ୍ୟୁଷ ମିଶ୍ର, ସୁଜିତ ବାରିକ, ମହମ୍ମଦ ୟାକୁବ, ଶୁଭମ୍ ମେହେର ଓ ତୁଷାର ଭୋଇ ଏମାନେ ଆସନ୍ତା ଜୁଲାଇ ୨୦ ତାରିଖରେ ପାଇକମାଳ ନବୋଦୟ ବିଦ୍ୟାଳୟରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସୋନାଲିକା ଶବର, ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍, ସୁଶ୍ରୀ ପ୍ରଭାସିନୀ ସା, ସୁଶ୍ରୀ ପ୍ରଭାତୀ ପଟ୍ଟନାୟକ, ଶ୍ରୀମତୀ ପୂଜାରାଣୀ ନାୟକ, ରବି ଶଙ୍କର ପ୍ରଧାନ, ଗୋବିନ୍ଦ ସାହୁ ଓ ଶ୍ରୀମତୀ ସୁକୁମାରୀ ତାଣ୍ଡି ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ । ଶେଷରେ ସୁଶ୍ରୀ ବୃନ୍ଦାବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.