
ବଲାଙ୍ଗିର, (କେପିଏନ୍ଏସ୍) : ଡିଏଫ୍ଓଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଅଧିକାରୀମାନେ ଫିଲ୍ଡ୍କୁ ଯାଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକ ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ସମସ୍ତ ଅଧିକାରୀ ଜିଓ ଟ୍ୟାଗ ଫଟୋ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଲୋକଙ୍କ ସରକାର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ । ତେଣୁ କାମ ଏକ ନମ୍ବର ହେବା ଦରକାର ବୋଲି ସେ ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚାଇ ଦେଇଥିଲେ । ସରକାର ଦଳମତ ନିର୍ବିଶେଷରେ କାମ କରିବ ଯେଉଥିରୁ ଲୋକ ଲାଭ ପାଇବେ ବୋଲି ସେ କହିଥିଲେ । କୃଷି, ଶକ୍ତି, ଯୋଗାଣ, ମେଡ଼ିକାଲ, ଯୋଜନା, ଆଦି ବିଭାଗ ଉପରେ ବିସ୍ତୃତ ଆଲୋଚନା ହେଇଥିଲା । କୃଷିରେ ମୃତ୍ତିକାକୁ ଜୈବିକ ଉପାୟରେ ଉର୍ବର କରିବାକୁ କହିଥିଲେ । ଇଉରିଆ ଏବଂ ଡିଏପି ବ୍ୟବହାର ବନ୍ଦ କରିବାକୁ କହିଥିଲେ । ଫସଲ ଅମଳ ପରେ ବଜାର ଉପଲବ୍ଧ କରାଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଫଳରେ ବିଭିନ୍ନ ଜାଗାରେ ଆଉଟ୍ଲେଟ୍ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ । କଟନୀ ଛଟନୀକୁ ସମ୍ପୂର୍ଣ୍ଣ ବନ୍ଦ କରେଇବାକୁ ତାଗିଦ କରିବା ସହ ସମସ୍ତ ରାଇସ୍ ମିଲ୍ର ଓଜନ ମାପକ ଯନ୍ତ୍ର ଏବଂ ଷ୍ଟକ ରେଜିଷ୍ଟର ୭ ଦିନ ଭିତରେ ଚେକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟୁତ୍ ବିଭ୍ରାଟ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ୍ କରିବା ସହ ବିକଳ୍ପ ବ୍ୟବସ୍ଥା ପାଇଁ କହିଥିଲେ । ଡାକ୍ତର ତଥା ମାନବ ସଂଶାଧନ ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ସମସ୍ୟାର ସମାଧାନ ଛଡା ଅନ୍ୟ କୌଣସି ବିକଳ୍ପରୁ ବିରତ ରହିବାକୁ କହିଛନ୍ତି । ଲକ୍ଷ୍ମୀ ଯୋର ସଫେଇ ପାଇଁ ୪୮ ଘଣ୍ଟାର ମହଲତ ଦେଇଛନ୍ତି । କର୍ମରେ ଅବହେଳାକୁ ବିଲ୍କୁଲ୍ ପ୍ରଶୟ ନଦେବାକୁ ସେ ତାଗିଦ କରିଛନ୍ତି । ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମୀକ୍ଷା ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଡିଏଫ୍ଓ ସୁଦର୍ଶନ ବେହେରା, ସିଡିଏମ୍ଓ ଡ. ପ୍ରଦୀପ କୁମାର ଗୁରୁଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।