oum

ମୁରିବାହାଲ ଥାନା ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର ଅନୁଷ୍ଠିତ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ନୂତନ ଭାରତର ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା ଶିବିର ସୋମବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୁଲାଇ ପହିଲାରୁ ସାରା ଭାରତରେ ଲାଗୁ ହେଉଥିବା ଏହି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ପୁର୍ବରୁ ପ୍ରଚଳିତ ଆଇପିସି ୧୮୬୦ ଭଳି ୩ଟି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ୍ରଚଳିତ ହେବ । ଏହା ସହିତ ମହିଳା ଓ ଶିଶୁଙ୍କ ପାଇଁ ଆଇନ, ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଟେକ୍ନୋଲୋଜିର ବହୁଳ ବ୍ୟବହାର, ଏତଲାକାରୀ ଓ ଅପରାଧିଙ୍କ ବିଭିନ୍ନ ଅଧିକାର, ବିଭିନ୍ନ ଅପରାଧ ଓ ଦୋଷୀଙ୍କୁ ଦଣ୍ଡ, ଠିକ୍‌ ସମୟ ମଧ୍ୟରେ ଶୀଘ୍ର ନ୍ୟାୟ ପ୍ରଦାନ, ଅପରାଧିକ ଆଇନର ସମ୍ପୂର୍ଣ୍ଣ ପରିବର୍ତ୍ତନ ଓ ପୁଲିସର କାର୍ଯ୍ୟ ଦକ୍ଷତା ବୃଦ୍ଧି ସମ୍ପର୍କରେ ନୂତନ ଅପରାଧିକ ଆଇନରେ ଥିବା ବିଭିନ୍ନ ଦିଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ସଚେତନତା ଶିବିରରେ ମୁରିବାହାଲର ବରିଷ୍ଠ ଆଇନଜୀବି ଜୟଦୀପ ପୁରୋହିତ, ସୁଦାମ ଚରଣ ବଘାର, ଗୋପୀନାଥ ପାଣିଗ୍ରାହୀ, ସୁନୀଲ ପୁଟେଲ, ଥାନା ପୁଲିସ୍ ସବ୍‌ଇନ୍ସପେକ୍ଟର ପ୍ରମୋଦ କୁମାର ପ୍ରଧାନ, ଏଏସ୍‌ଆଇ ସୁଶୀଲ କୁମାର ମହାପାତ୍ର, ଜଗଦୀଶ ମହାନନ୍ଦଙ୍କ ସହ ମୁରିବାହାଲର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ନୂତନ ଆଇନ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳ ଗୁଡିକରେ ଏହି ନୂତନ ଆଇନ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ଆହୁରି ଏଭଳି ଅଧିକ ଶିବିର ଆୟୋଜନ କରାଯିବ ବୋଲି ଥାନା ଆଇଆଇସି ଶ୍ରୀମତୀ ଲୁଗୁନ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ଥାନାର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.