om academy

ମୁରିବାହାଲ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ

jsm
  • କର୍ତ୍ତବ୍ୟରେ ଅବହେଳା କଲେ କାହାରିକୁ କ୍ଷମା ନାହିଁ- ବିଧାୟକ
  • ହଳଦୀ ପଞ୍ଚାୟତ ଶ୍ରେଷ୍ଠ ବିବେଚିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ଖାଦ୍ୟ ସୁରକ୍ଷା ଆଇନର ୨୦୨୩-୨୪ ଆର୍ଥିକ ବର୍ଷର ଦ୍ଵିତୀୟ ଚକ୍ର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକସ୍ତରୀୟ ଜନଶୁଣାଣି ଶିବିରର ଆବାହକ ତଥା ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ତଥା ଏପିଓ ବସନ୍ତ ବଳିଆର ସିଂଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଟିଟିଲାଗଡ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ରେହାନ କ୍ଷେତ୍ରି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ପୂର୍ବତନ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ବାଗ ନିଜ ବକ୍ତବ୍ୟରେ କର୍ତ୍ତବ୍ୟରେ ଅବହେଳା କଲେ କୌଣସି ଅଧିକାରୀ କି କର୍ମଚାରୀଙ୍କୁ କ୍ଷମା କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ । ଗୋଇମୁଣ୍ଡ ଓ ଗରଗଡବାହାଲ ପଞ୍ଚାୟତ ଜିଆର୍‌ଏସ୍‌ ନିଗମାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସମସ୍ତ ପଞ୍ଚାୟତର ମନରେଗାର ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷରେ ହଳଦୀ ପଞ୍ଚାୟତ ପ୍ରଥମ, ଗଂରେଇ ପଞ୍ଚାୟତ ଦ୍ଵିତୀୟ ଓ ମାଳିଶିରା ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେହି ପଞ୍ଚାୟତର ପିଇଓ ଓ ଜିଆର୍‌ଏସ୍‌ଙ୍କୁ ସ୍ଵତନ୍ତ୍ର ରୂପେ ଟ୍ରଫି ସହ ପୁରସ୍କୃତ ଦିଆଯାଇଥିଲା । ଶ୍ରେଷ୍ଠ ଜିଆର୍‌ଏସ୍‌ ଭାବେ ହଳଦୀ ଜିଆର୍‌ଏସ୍‌ ଡୋଳାମଣି ସାହୁ ପୁରସ୍କୃତ ହୋଇଥିଲେ । ମାର୍ଚ୍ଚ ସୁଦ୍ଧା ବ୍ଲକରେ ମୋଟ ୪୩୦୨.୬୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୬୨୦୦ରୁ ୮୬୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ମୋଟ ୨୨୩୮୨ ପଞ୍ଜୀକୃତ ପରିବାରଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ବେଳେ ୩,୨୯୭ପରିବାର ୧୦୦ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ ସହ ମୋଟ ୯,୮୩,୨୭୯ ମାନବ ଦିବସ ସୃଷ୍ଟି ହୋଇଛି । ମନରେଗାରେ ଉଦ୍ୟାନ କୃଷି ବିଭାଗରେ ମୋଟ ୭୦ ହେକ୍ଟର ଜମିରେ ଆମ୍ବଚାରା ରୋପଣ କରାଯିବ ବୋଲି ବ୍ଲକ ଏଏଚ୍‌ଓ ମନବୋଧ ଭୋଇ ପ୍ରକାଶ କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ୧୯ଟି ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬୭ଟି ଫାର୍ମଫଣ୍ଡରୁ ୧୬୦ଟିର କାର୍ଯ୍ୟ ଚାଲିଥିବା ବେଳେ ୫୮ଟି ଆଦର୍ଶ ବଗିଚାର କାର୍ଯ୍ୟ ମଧ୍ୟ ଚାଲୁରହିଥିବା ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଶାନ୍ତ ଦଳେଇ ତଥ୍ୟ ପ୍ରଦାନ କରିଥିଲେ । ବ୍ଲକ ସାମାଜିକ ସମୀକ୍ଷକ ଟଙ୍କଧର ବଛା ମନରେଗାର ବିଭିନ୍ନ ତୃଟିବିଚ୍ୟୁତି ଓ ଅଭିଯୋଗ ତଥ୍ୟ ପ୍ରଦାନ କରିଥିଲେ । ଏହି ଜନଶୁଣାଣୀରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜିଆର୍‌ଏସ୍‌, ଗାଁସାଥୀ, ଭିଆର୍‌ପି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ମନରେଗା ଶ୍ରମିକଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା । ବ୍ଲକ ଏଇଇ ଅବିନାଶ ମୁଦି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.