ଯମୁନା ଡଙ୍ଗରରେ ବାରପାଲି ହଳଦୀ ବିରାଟ ଡଙ୍ଗରବୁଢ଼ା ଯାତ୍ରା ଅନୁଷ୍ଠିତ

  • ଶହ ଶହ ବୋଦା ଓ କୁକୁଡ଼ା ବଳି, ରକ୍ତରଞ୍ଜିତ ଡଙ୍ଗର ଖଳା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀର ବିରାଟ ଡଙ୍ଗରବୁଢ଼ା ଯାତ୍ରା ଶୁକ୍ରବାର ଯମୁନା ଡଙ୍ଗର (ପାହାଡ)ରେ ମହାସମାରୋହରେ ପାଳିତ ହୋଇଯାଇଛି । ସମଗ୍ର ହଳଦୀ ବାରପାଲି ଅଞ୍ଚଳରେ ଏହା ଡଙ୍ଗର ଯାତ୍ରା ଭାବରେ ପ୍ରସିଦ୍ଧ । ଏହା ପ୍ରତ୍ୟେକ ବର୍ଷ ଦଶହରା ସମୟରେ ପାଳିତ ହୋଇଥାଏ । ଡଙ୍ଗର ଯାତ୍ରା ଆବହମାନ କାଳରୁ ପାଳିତ ହୋଇ ଆସୁଛି, ଏହା ଲୋକଙ୍କର ଆସ୍ଥା ଏବଂ ବିଶ୍ୱାସର ଏକ ପ୍ରମୁଖ ଯାତ୍ରା । ହଳଦୀ ଗ୍ରାମର ଜମିଦାର ଏବଂ ପୁଝାରୀଙ୍କ ଘରୁ ଏହି ଯାତ୍ରା ଆରମ୍ଭ ହୋଇ ହଜାର ହଜାର ସଂଖ୍ୟାରେ ଭକ୍ତଗଣଙ୍କ ମେଳରେ ଜାନି, ପୂଝାରୀ, ଭୁଏ, ଉମରା ପୂଜାଭାର ସହିତ ବାଜା, ଡକାବାଦ୍ୟ, ଢାପ, ଘୁମୁରା ଭଳି ବିଭିନ୍ନ ବାଦ୍ୟର ତାଳେ ତାଳେ ଡଙ୍ଗର ପର୍ଯ୍ୟନ୍ତ ପୂଜାକୁଠୀକୁ ଯାଇଥାନ୍ତି । ନାରୀ ଭକ୍ତଙ୍କ ମନସ୍କାକାମନା ପୂରଣ ପାଇଁ ରାସ୍ତାର ମଝିରେ ମଝିରେ ପାଳ ପଡ଼ିବା ଏବଂ ଭକ୍ତଙ୍କ ଗୁରୁମରା ଅତ୍ୟନ୍ତ ଆକର୍ଷଣୀୟ ଲାଗିଥାଏ । ଡଙ୍ଗର ଯାତ୍ରାର ବିଶେଷତ୍ଵ ହେଉଛି ଏହି ଅଞ୍ଚଳର ଇଷ୍ଟଦେବତା ଡଙ୍ଗରବୁଢ଼ାଙ୍କୁ ପୂଜାକରିବା । ଏହି ପୂଜା ଗୋଟିଏ ବର୍ଷ ଯମୁନା ଡଙ୍ଗର ବା ଘର୍ ଡଙ୍ଗର ଏବଂ ପରବର୍ତ୍ତୀ ବର୍ଷ ତେନ୍ତୁଳିଖୁଣ୍ଟି ଡଙ୍ଗର ବା ବୁଢ଼ା ଡଙ୍ଗରକୁ ପୂଜା କରାଯାଏ । ନିୟମିତ ଭାବରେ ଏହା ବିଧିବିଧାନ ପୂର୍ବକ ପୂଜା ହୁଏ । ବୋଦା, ଖାସି, କୁକୁଡ଼ା ଶହଶହ ସଂଖ୍ୟାରେ ଡଙ୍ଗର ଖଳାରେ ବଳି ପଡେ । ଶୁକ୍ରବାର ମଧ୍ୟ ଶହ ଶହ ସଂଖ୍ୟାରେ ଏହା ବଳି ଦିଆଯାଇଥିବାରୁ ପୀଠଟି ରକ୍ତରଞ୍ଜିତ ହୋଇଯାଇଥିଲା । ଏହି ବଳିପ୍ରଥାକୁ ଏହି ଅଞ୍ଚଳର ଆଦିବାସୀ ତଥା ବୁଦ୍ଧିଜୀବୀମାନେ ଏହା ଏକ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ଭାବରେ ମାନନ୍ତି । ଏହା ଅତି ପ୍ରାଚୀନ କାଳରୁ ଚାଲିଆସୁଛି ବୋଲି ସେମାନେ ମତବ୍ୟକ୍ତ କରନ୍ତି । ଏହି ଡଙ୍ଗର ଯାତ୍ରାରେ ପୂଜକ ରୂପେ ଥବୀର ପୂଝାରୀ ଓ ଚୁଡ଼ାମଣି ପୁଝାରୀ ଥିବା ବେଳେ ୪ଜଣ ବରୁଆ ମାନସିକଧାରୀଙ୍କୁ ଆଶୀର୍ବାଦ ଦେଉଥିଲେ । ଆୟୋଜକ ବାରପାଲି ହଳଦୀ ସାର୍ବଜନୀନ ଡଙ୍ଗରବୁଢ଼ା ଯାତ୍ରା କମିଟିର ନିମନ୍ତ୍ରଣ ରକ୍ଷା କରି ଏହି ଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ନାରାୟଣ ମିଶ୍ର, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଆଦିବାସୀ ନେତା ସୁରେଶ ଭୋଇ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ବିଜେପି ନେତା ନାରାୟଣ ସାହୁ, ସରୋଜ ବାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆୟୋଜକ କମିଟିର ଗୋପାଳ ସିଂ ଭୋଇ, ମଧୁସୁଦନ ଜାନୀ, ପ୍ରେମିକ ପୁଝାରୀ, ବାଳଗୋବିନ୍ଦ ମାଝୀ, ଦୁଷୀମଣି ପ୍ରଧାନି, ବିଜୟ ପଶାୟତଙ୍କ ସହ ହଳଦୀ ବାରପାଲି ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଯାତ୍ରାରେ ଅଂଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ଏହାକୁ ଉପଭୋଗ କରୁଥିବାରୁ ଡଙ୍ଗରର ପାରିପାର୍ଶ୍ୱିକ ଉନ୍ନୟନ ସହ ଯାତ୍ରାକୁ ପ୍ରଶାସନ ତରଫରୁ ସାହାଯ୍ୟ ଓ ସହଯୋଗ ପାଇଁ ଆୟୋଜକ କମିଟି ପକ୍ଷରୁ ବିଧାୟକଙ୍କ ନିକଟରେ ଦୃଢ଼ ଦାବୀ କରାଯାଇଥିଲା । ଏହି ଡଙ୍ଗରବୁଢ଼ା ଯାତ୍ରାରେ ବାରପାଲି ହଳଦୀ ସମେତ ଅଞ୍ଚଳର ହଜାର ହଜାର ମହିଳା ଓ ଶ୍ରଦ୍ଧାଳୁ ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.