ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ଅନୁଷ୍ଠିତ

  • ରାଷ୍ଟ୍ରଭାଷା ହିନ୍ଦୀ ଆମକୁ ଏକତା ସୁତ୍ରରେ ବାନ୍ଧି ରଖିଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ମୁଖ୍ୟ ଅତିଥି, କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଆଗ୍ରାର ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ତଥା ପ୍ରସିଦ୍ଧ ହିନ୍ଦୀ ଭାଷା ପ୍ରଶିକ୍ଷକ ଭରତ ସିଂ ପରମାର ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ପାତ୍ର, ଛତାମଖନା ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ସଭାପତି ସୁଶାନ୍ତ ନାୟକ ମଂଚାସୀନ ଥିଲେ । ସଂଘର ସମ୍ପାଦକ ଜଗଦିଶ ନାଗ ହିନ୍ଦୀ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପରମାର ନିଜ ବକ୍ତବ୍ୟରେ ରାଷ୍ଟ୍ରଭାଷା ହିନ୍ଦୀ ଆମକୁ ଏକତା ସୁତ୍ରରେ ବାନ୍ଧି ରଖିଛି ବୋଲି କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମେହେର ଗୋଟିଏ ଭାଷା ଗୋଟିଏ ଜାତି ସହ ଓତଃପ୍ରୋତ ଭାବେ ଜଡିତ ବୋଲି କହିବା ସହ ଭାଷା କ୍ଷୀଣ ହେଲେ, ଜାତିର ଅସ୍ତିତ୍ୱ ଟଳମଳ ହୁଏ ବୋଲି କହିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ହିନ୍ଦୀ ଆଲୋଚନାଚକ୍ର ବିଷୟ ‘ହିନ୍ଦୀ ଭାଷା କା ମହତ୍ୱ, ପ୍ରସାର ଔର ପ୍ରାସଙ୍ଗିକତାରେ ହିନ୍ଦୀ ଶିକ୍ଷକ ଜ୍ୟୋର୍ତିମୟ ପଣ୍ଡା, ନରେନ୍ଦ୍ର ବାରିକ ଓ ଭକ୍ତ ମେହେର ଯୋଗଦେଇ ହିନ୍ଦି ଭାଷାର ଉତ୍ପତ୍ତି, ବିକାଶ ଓ ବର୍ତ୍ତମାନ ପରିପ୍ରେକ୍ଷିରେ ତାର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ଅଶ୍ୱିନୀ ଷଡଙ୍ଗି କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ କୃଷ୍ଣଚନ୍ଦ୍ର ବାଗ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!