ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

  • ବର୍ଷେରୁ ଅଧିକ ହେବ ବନ୍ଦ ଥିବା ରୋଗୀଙ୍କୁ ଖାଦ୍ୟ ଦେବା ପ୍ରକ୍ରିୟା ବିଧାୟକଙ୍କ ଦ୍ଵାରା ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟିର ବୈଠକ ଶୁକ୍ରବାର ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଦୀର୍ଘ ୧ ବର୍ଷରୁ ଅଧିକ ହେବ ବନ୍ଦ ଥିବା ରୋଗୀଙ୍କୁ ଜଳଖିଆ ଓ ଖାଦ୍ୟ ଦେବା ପ୍ରକ୍ରିୟା ମଧ୍ୟ ବିଧାୟକ ତଥା ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ଏଥିରେ ରୋଗୀମାନଙ୍କର ଚିକିତ୍ସା ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ମୁରିବାହାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ପୂର୍ଣ୍ଣ ବିକାଶ କରାଯିବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମୁରିବାହାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ସମସ୍ତ ରୋଗୀ ମାନଙ୍କୁ ଉଚିତ୍‌ ଚିକିତ୍ସା ଦେବା ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ପଦବୀଗୁଡ଼ିକ ଯଥା ଶୀଘ୍ର ପୂରଣ କରିବା ସହ ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନୂତନ ୩ ହଜାର ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ମୁରିବାହାଲ ଗୋଷ୍ଠୀ କେନ୍ଦ୍ରର ବିଭିନ୍ନ ସମସ୍ୟା ପୂରଣ କରାଯିବା ପାଇଁ ବିଧାୟକ ଶ୍ରୀ ବାଗ ପ୍ରତିଶୃତି ଦେଇଥିଲେ । ରୋଗୀ କଲ୍ୟାଣ ସମିତି ଆବାହକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଥବିର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହ ନୂତନ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପୁଟେଲ, ବ୍ଲକଶିଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ସୁପରଭାଇଜର୍‌ କୁନି ନାଏକ, ଡାକ୍ତର ଶୁଭମ ପରିଡା, ଡା. ରାଜେଶ କୁମାର ଅଗ୍ରୱାଲ, ଏଇଇ ଅବିନାଶ ମୁଦି ପ୍ରମୁଖ ଉପସ୍ଥିତ ରହି ରୋଗୀ କଲ୍ୟାଣ ସମିତି ଗଠନ ପ୍ରକ୍ରିୟା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ତଥା ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି କରିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ବିପିଏମ୍‌ ଯୁଗଳ କିଶୋର ସାହୁଙ୍କ ସଂଯୋଜନାରେ ସିଏଚ୍‌ସିର ଫାର୍ମାସିଷ୍ଟ ମାନସ ରଞ୍ଜନ ଦଳାଇ, ବିଏଏମ୍‌ ଘନଶ୍ୟାମ ମେହେର, ପିଏଚ୍‌ଇଓ ଭଞ୍ଜୟିନି ବାଗ, ଆଶିଷ ଠାକୁରଙ୍କ ସହ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ଗଙ୍ଗାଧର ହେର୍ଣ୍ଣା, ନାରାୟଣ ସାହୁ, ସ୍ଵେଚ୍ଛାସେବୀ ସୁଧାଂଶୁ ଶେଖର ପୋଢ଼ ୟାଦବ, ନେପାଳ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହା ପରେ ବିଧାୟକ ଶ୍ରୀ ବାଗ ସ୍ୱାସ୍ଥ୍ୟ କେନ୍ଦ୍ରର ଔଷଧ ବିତରଣ କେନ୍ଦ୍ର ଓ ରୋଗୀଙ୍କ ୱାର୍ଡ ବୁଲି ରୋଗୀମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.