ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆଙ୍କ ସଭାପତିତ୍ୱରେ ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନୀତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ ବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ ଓ ଝାରବନ୍ଧ ବ୍ଲକର ୯୮ ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ । ଆମେରିକା ଆଧାରିତ ମେକରଘାଟ୍ ଏକ ବେସରକାରୀ (ଏନ୍. ଜି. ଓ) ଅନୁଷ୍ଠାନ ଯିଏକି ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କର ଔଦ୍ୟୋଗିକ ଚିନ୍ତାଧାରାକୁ ବିକଶିତ କରିବାକୁ ମେକର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସହାୟକ ହୋଇଥାଏ । ଗତ ୨୦୨୨ ମସିହାରୁ ବରଗଡ଼ ଶିକ୍ଷା ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ମେକରଘାଟ୍ କାର୍ଯ୍ୟକ୍ରମ ସମସ୍ତ ମାଧ୍ୟମିକ ସ୍କୁଲରେ ସଫଳତାର ସହିତ ଚାଲୁଛି ଏବଂ ଚଳିତବର୍ଷ ସେଥିରେ ଆଉକିଛି ନୂତନ ଚିନ୍ତାଧାରା ସମ୍ମିଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ ଆଦର୍ଶ ପଟ୍ଟନାୟକ, ସତ୍ୟଜିତ ନାଏକ ଓ କପିଳାସ ଅଦାବର୍ ସୁନ୍ଦର ଭାବରେ ଉପସ୍ଥାପନ କରିବା ସହ କ୍ରିୟାକଳାପରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ମାନସ ଶତପଥୀ ମଧ୍ୟାହ୍ନ ବିରତି ଆଗରୁ ଶିବିରରେ ଯୋଗଦେଇ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରଶିକ୍ଷଣରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।