ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ଭାରତ ୨୦୪୭କୁ ଆଖି ଆଗରେ ରଖି ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କ ଦ୍ୱାରା ଗତ ଜାନୁୟାରୀ ୨୦୨୪ରୁ ଆରମ୍ଭ ହୋଇଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରକାଶ କରିବାରେ ସାହାଯ୍ୟ କରିବ ଓ ଦେଶଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବା ଲକ୍ଷ୍ୟ ନେଇ ଆଜି ଜବାହର ନବୋଦୟ ବିଦ୍ୟାଳୟ ପାଇକମାଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୂତା ପାତ୍ର ଓ ବରଗଡ଼ ବିଇଓ ସୁରେନ୍ଦ୍ର କୁମାର ସାହୁ ଯୋଗଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆୟୋଜକ ସମ୍ପାଦକ ସରୋଜ କୁମାର ତ୍ରିପାଠୀ, ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ମଧ୍ୟ ମଞ୍ଚାସୀନ ଥିଲେ ଏବଂ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନେ ମଧ୍ୟ ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରୁ ମୁଖ୍ୟଅତିଥି ମା’ ବାଗଦେବୀଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତଗାନ କରାଯାଇଥିଲା । ସମସ୍ତ ଅତିଥି ପ୍ରେରଣାର ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସଂଗୀତା ମେହେଟ୍ଟା, ପ୍ରଦୀପ କୁମାର ସୁର ଓ ସୁବାସ ଭାରତୀ ସଂଯୋଜନା କରିଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, କବିତା ରଚନା, ଚିତ୍ରାଙ୍କନ, କଣ୍ଠସଙ୍ଗୀତ, ଗଳ୍ପ ରଚନା ଓ ବ୍ୟଙ୍ଗ ଅନୁକରଣ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବରେ ପ୍ରଦୀପ ସୁର, ଶ୍ରୀମତୀ ଭାଗ୍ୟବନ୍ତୀ ଭୋଇ, ନନ୍ଦଲାଲ ନାଏକ, ଉମେଶ ଚନ୍ଦ୍ର ଝାଙ୍କର, ଶ୍ରୀମତୀ ସବିତା ଭୋଇ, ରାଧେଶ୍ୟାମ ମେହେର, ଶ୍ରୀମତୀ ସୁନିତା ବେହେରା, ଧଳେନ୍ଦ୍ର ବାରିକ, ନିରୋଜ ଶର୍ମା, ପି. ଉମେଶ, ଦୁଃଖନାଶନ ନାଏକ, ଶ୍ରୀମତୀ ମଧୁରୀମା ଚାଟାର୍ଜୀ, ଗୋବିନ୍ଦ ସେଠ ଓ ବିକାଶ ସାହୁ ଯୋଗଦେଇ ଉପଯୁକ୍ତ ପ୍ରତିଭା ଚୟନ କରିବାରେ ସହାୟକ ହୋଇଥିଲେ । ବରଗଡ ଜିଲ୍ଲାର ୧୨ଟି ବ୍ଲକରୁ ୧୨୦ ଓ ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରୁ ୪ ମୋଟ ୧୨୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁଜୁରାଟ ଭାଦନଗରରେ ଥିବା ସ୍କୁଲ ଯେଉଁଠାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟୟନ କରିଥିଲେ ସେହି ସ୍କୁଲ ପରିଦର୍ଶନରେ ଯିବେ । ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ଓ ପରିଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କର ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.