ବଲାଙ୍ଗିର ସାମ୍ବାଦିକ ଭବନରେ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସ୍ମିତା ସ୍ୱାଭିମାନ ହେଲେ ଚଳିବ, ମାତ୍ର ଏହା ଅହଂକାର ହେଲେ ସାହିତ୍ୟ ତଳିତଳାନ୍ତ ହୋଇଯିବ । ନାରାୟଣ ପୃଷେଠ ଥିଲେ ଅର୍ଥନୀତିର ଛାତ୍ର, ଅଥଚ ସାହିତ୍ୟ ଓ ଇତିହାସକୁ ନେଇ ସମାଜରେ ସେ ଥିଲେ ପରିଚିତ । ସାହିତ୍ୟ ଅନୁଷ୍ଠାନ ଗଠନ ସହ ଶିକ୍ଷାନୁଷ୍ଠାନ ପାଇଁ ତାଙ୍କର ପ୍ରଗାଢ ନିଷ୍ଠା ହିଁ ତାଙ୍କର ପରିଚୟ । ପ୍ରଫେସର ନାରାୟଣ ପୃଷେଠଙ୍କ ଜୀବନ ଓ ସାହିତ୍ୟ ହେଉଛି ପ୍ରକୃତ ଅସ୍ମିତାର ପରିଚୟ ବୋଲି ମତ ପ୍ରକାଶ ପାଇଛି । ଓଡିଆ ସାହିତ୍ୟ ଓ ଅସ୍ମିତାକୁ ପ୍ରଫେସର ନାରାୟଣ ପୃଷେଠଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ପ୍ରଫେସର ମଧୁସୂଦନ ପତି, ଆଲୋଚକ ଭାବରେ ଡକ୍ଟର ଗୋପବନ୍ଧୁ ରଥ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିବା ବେଳେ ଆଇଆଇଏମ୍‌ ସମ୍ବଲପୁରର ପ୍ରଫେସର ଡକ୍ଟର ସୁଜିତ କୁମାର ପୃଷେଠ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍‌ ତରଫରୁ ଆୟୋଜିତ ଏହି ଆଲୋଚନାଚକ୍ରକୁ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରଫେସର ନାରାୟଣ ପୃଷେଠଙ୍କ ପୁସ୍ତକ ‘ମୁଦ୍ରା ଓ ଅର୍ଥନୀତି’କୁ ଲୋକାର୍ପିତ କରିଥିଲେ ଅତିଥିମାନେ । ପ୍ରଫେସର ନାରାୟଣ ପୃଷେଠଙ୍କ ଛାତ୍ର ମନ୍ତ୍ରୀ ଡକ୍ଟର ମହାଲିଙ୍ଗଙ୍କ ଛାତ୍ରାବସ୍ଥାରେ ପ୍ରଫେସର ପୃଷେଠଙ୍କ ସହ ଏକ ବିରଳ ଫଟୋକୁ ଉପହାର ଦେଇଥିଲେ ଡକ୍ଟର ସୁଜିତ କୁମାର ପୃଷେଠ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସନ୍ଦୀପ କୁମାର କୁଅଁର ।

Leave A Reply

Your email address will not be published.