ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : “ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ନୂଆପଡ଼ାରେ “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମିନ ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଏକତା ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ମୁଖ୍ୟାଳୟ ଠାରେ ଶେଷ ହୋଇଥିଲା । ପଦଯାତ୍ରା ସମୟରେ ପ୍ଲାକାର୍ଡ, ବ୍ୟାନର ଓ ସ୍ଲୋଗାନ ମାଧ୍ୟମରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ସହ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ନିଜ ମାଟିର ଭାଷା ପ୍ରତି ଗର୍ବ ବୋଧ ସୃଷ୍ଟି କରିବା ସହ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି । ପଦଯାତ୍ରାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଏହା ସହିତ ଖରିଆର ରୋଡ଼ ଏନଏସି ଅଞ୍ଚଳରେ ମଧ୍ୟ ଏହିପରି ସଚେତନତା ରାଲି ଆୟୋଜିତ ହୋଇଥିଲା । ଏହି ରାଲିରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।