ମହିଳା ଦିବସ ପାଳନ ଅବସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବଲାଙ୍ଗିର ସହରସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରିବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଛି । ​ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ହରିଓମ୍ ଶମ୍ଭୁ ନାରାୟଣ ଦାସ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଏବଂ ଜିଲ୍ଲା ଖେଳ ଅଧିକାରୀ ପରାଶର ବାଗ ପ୍ରମୁଖ ଉପସ୍ଥିତ ଥିଲେ । ​ଆଜିର ଦ୍ୱିତୀୟ ଦିବସରେ ବିଶେଷ କରି ମହିଳାମାନଙ୍କ ସ୍ୱୟଂରକ୍ଷା ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ବିଭିନ୍ନ କୋଚ୍ ଓ ପ୍ରଶିକ୍ଷକମାନଙ୍କ ଦ୍ୱାରା ଛାତ୍ରୀ ଓ ମହିଳାମାନଙ୍କୁ ଜୁଡୋ, ବକ୍ସିଂ ଏବଂ କରାଟେ ଭଳି ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରାଯିବା ସହ ଏହାର ଉପକାରିତା ବିଷୟରେ ବୁଝାଯାଇଥିଲା । ​ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ସମେତ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ, ଶିକ୍ଷୟିତ୍ରୀ ଓ ପ୍ରଶିକ୍ଷକମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.